ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ନୂଆ ରଣନୀତି ସହ ତୃଣମୂଳସ୍ତରରେ ଆରମ୍ଭ କରିଛି ତାର ପ୍ରସ୍ତୁତି। ଦଳକୁ ଶକ୍ତିଶାଳୀ କରିବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସନ୍ତା ଅକ୍ଟୋବର ଓ ନଭେମ୍ବର ମାସରୁ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବେ।
ଦଳୀୟ ସୂଚନା ଅନୁସାରେ, ସମସ୍ତ ବିଧାୟକ ଓ ନେତାଙ୍କୁ ନିଜ ଅଞ୍ଚଳରେ ସକ୍ରୀୟ ହେବାକୁ ଏବଂ ଜିଲ୍ଲାସ୍ତରରେ ଲୋକଙ୍କ ସହ ସଂଯୋଗ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ନିର୍ବାଚନରେ ଯେଉଁମାନେ ଦଳରୁ ଦୂରେଇଯାଇଥିଲେ, ସେମାନଙ୍କୁ ପୁଣିଥରେ ଦଳ ସହ ଯୋଡ଼ିବାକୁ ଉଦ୍ୟମ ହେଉଛି।
ଏହା ସହିତ, ପଞ୍ଚାୟତ ନିର୍ବାଚନକୁ ଧ୍ୟାନରେ ରଖି ଦଳୀୟ କାର୍ଯ୍ୟକଳାପକୁ ବୃଦ୍ଧି କରାଯାଉଛି। ବିଧାୟକମାନଙ୍କୁ ଆରମ୍ଭ କରି ପୂର୍ବରୁ ହାରିଥିବା ନେତାମାନେ ମଧ୍ୟ ଏବେ ତୃଣମୂଳସ୍ତରରେ କାମ କରୁଛନ୍ତି।
ବିଜେଡି ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ କହିଛନ୍ତି, ପଞ୍ଚାୟତ ସ୍ତରରେ ଯେଉଁମାନେ ଦୁର୍ନୀତି କିମ୍ବା ଲୋଭରେ ଦଳ ଛାଡୁଛନ୍ତି, ସେମାନଙ୍କ ଯିବାରେ ଦଳର କୌଣସି କ୍ଷତି ହେବ ନାହିଁ। ଯେଉଁମାନେ ଲୋକଙ୍କ ପାଇଁ କାମ କରୁଛନ୍ତି, ସେମାନେ ଦଳ ସହ ରହିବେ। ମୋଟ ଉପରେ କହିବାକୁ ଗଲେ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଏବେ ଗ୍ରାସରୁଟ୍ ସ୍ତରରେ ନିଜ ସଂଗଠନକୁ ଆଉ ମଜବୁତ କରିବାରେ ଲାଗିଛି। ତେବେ ନବୀନଙ୍କ ଜିଲ୍ଲା ଗସ୍ତ ଦଳକୁ କେତେ ଲାଭ ଦେବ, ତାହା ଆଗାମୀ ଦିନରେ ଦେଖିବାକୁ ମିଳିବ।