ନୂଆଦିଲ୍ଲୀ: ସମୀର ରିଜଭିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୧୬୨ ରନ କରିଥିଲା। ଜବାବରେ ସମୀର ରିଜଭିଙ୍କ ୯୦ ରନ ଯୋଗୁଁ ଦିଲ୍ଲୀ ୧୯ତମ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଏହା ଆଇପିଏଲ ୨୦୨୬ରେ ଦିଲ୍ଲୀର ଲଗାତାର ଦ୍ୱିତୀୟ ବିଜୟ।
୧୬୩ ରନର ଟାର୍ଗେଟକୁ ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସର ଆରମ୍ଭ ଖରାପ ଥିଲା। ଓପନର କେଏଲ ରାହୁଲ କେବଳ ଗୋଟିଏ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ନୀତିଶ ରାଣା ନିଜର ଖାତା ଖୋଲିପାରି ନଥିଲେ। ହେଲେ ସମୀର ରିଜଭି ମଇଦାନକୁ ଓହ୍ଲାଇବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୩୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପରେ ସେ ଆହୁରି ଦ୍ରୁତ ବ୍ୟାଟିଂ କରିଥିଲେ। ସେ ନିଜର ଏହି ଇନିଂସରେ ୫୧ ବଲରେ ୭ ଚୌକା ଏବଂ ୭ ଛକା ମାରି ୯୦ ରନ କରିଥିଲେ। ରିଜଭି ମାତ୍ର ୨ ମ୍ୟାଚରେ ୧୬୦ରନ କରିଛନ୍ତି। ପୂର୍ବରୁ, ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ରିଜଭି ପଥୁମ୍ ନିସାଙ୍କା ସହିତ ୬୬ ରନର ପାର୍ଟନରସିପ୍ ଏବଂ ଡେଭିଡ୍ ମିଲରଙ୍କ ସହିତ ୭୮ରନର ପାର୍ଟନରସିପ୍ କରିଥିଲେ। ଯାହା ଦିଲ୍ଲୀର ବିଜୟକୁ ସହଜ କରିଥିଲା।
ଶ୍ରେୟସ ଆୟରଙ୍କ ଉପରେ ୨୪ ଲକ୍ଷ ଜରିମାନା ଲଗାଇଲା ବିସିସିଆଇ; ପଞ୍ଜାବ ମଧ୍ୟ ଦଣ୍ଡିତ
ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ବ୍ୟର୍ଥ
ମୁମ୍ବାଇ ଇଣ୍ଡିଆନ୍ସର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅସୁସ୍ଥତା ଯୋଗୁଁ ଏହି ମ୍ୟାଚ୍ ଖେଳି ନଥିଲେ। ସୂର୍ଯ୍ୟକୁମାର ଯାଦବ ତାଙ୍କ ସ୍ଥାନରେ ଅଧିନାୟକତ୍ୱ କରିଥିଲେ । ସେ ଚାପରେ ୫୧ ରନର ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତ ଶର୍ମା ମଧ୍ୟ ୩୫ ରନର ଅବଦାନ ଦେଇଥିଲେ। କିନ୍ତୁ ସମୀର ରିଜଭିଙ୍କ ସ୍ମରଣୀୟ ୯୦ ରନର ଇନିଂସ ସବୁକିଛି ଫିକା କରି ଦେଇଥିଲା।
ଦିଲ୍ଲୀର କ୍ରମାଗତ ଦ୍ଵିତୀୟ ବିଜୟ
ଅକ୍ଷର ପଟେଲଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜର IPL 2026 ଅଭିଯାନ ଦମଦାର ଷ୍ଟାଇଲ୍ରେ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍ରେ ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୬ ୱିକେଟ୍ରେ ପରାସ୍ତ କରିଥିଲେ। ଏବେ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟ୍ରେ ପରାସ୍ତ କରି ସିଜନ୍ର କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି।