ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ୨୦୧୧ ପରଠୁ ଦିନିକିଆ ବିଶ୍ୱକପ୍ ଟ୍ରଫି ଉଠାଇ ପାରିନି । ତେବେ ଭାରତୀୟ ଦଳକୁ ଟ୍ରଫି ଉଠାଇବା ପାଇଁ ନିଜର ଦାବିଦାର ସାବ୍ୟସ୍ତ କରିବାକୁ ଦେଢ ବର୍ଷର ସମୟ ରହିଛି । କାରଣ ବିଶ୍ୱକପ୍ ୨୦୨୭ରେ ଖେଳାଯିବ । ଏହି ବିଶ୍ୱକପ୍ ପାଇଁ ଭାରତୀୟ ଦଳର କିଛି ଖେଳାଳିଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । ଅନେକ ଖେଳାଳି ଦୌଡରେ ଥିବା ବେଳେ ଆଉ କିଛି ନିଜ ସ୍ଥାନ ହରାଇ ପାରନ୍ତି । ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି ଆପାତତଃ ଦୌଡରୁ ବାଦ୍ ପଡି ସାରିଛନ୍ତି । କିନ୍ତୁ ଯଦି ଚଳିତ ଆଇପିଏଲରେ ଶାମି ଅସାଧାରଣ ପ୍ରଦର୍ଶନ କରନ୍ତି ତେବେ ଚୟନକର୍ତ୍ତା ଏହା ଉପରେ ବିଚାର କରି ପାରନ୍ତି । ତେବେ ଏହି ତାଲିକାରେ ଆଉ ଜଣେ ବୋଲରଙ୍କ ନାଁ ରହିଛି, ଯାହାଙ୍କୁ ଦିନିିକିଆ ଦଳରେ ସ୍ଥାନ ମିଳି ନ ପାରେ, ସେ ହେଉଛନ୍ତି ବରୁଣ ଚକ୍ରବର୍ତ୍ତୀ ।
ନିଜର ରହସ୍ୟମୟୀ ସ୍ପିନ ଦମରେ ଗତ ୨-୩ ବର୍ଷ ବରୁଣ ଚକ୍ରବର୍ତ୍ତୀ ଅନ୍ତର୍ଜାତୀୟ କ୍ରିକେଟରେ ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ୨୦୨୪ରେ କେକେଆରକୁ ଚାମ୍ପିଅନ କରାଇବାରେ ବରୁଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ପରେ ଯେବେ ଗମ୍ଭୀର ଟିମ୍ ଇଣ୍ଡିଆର ହେଡ୍ କୋଚ୍ ହେଲେ ଚକ୍ରବର୍ତ୍ତୀଙ୍କ ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନ ଘଟିଥିଲା । ମୁଖ୍ୟତଃ ବରୁଣ ଟି-୨୦ ଫର୍ମାଟରେ ତାରକା ବୋଲର । ଦିନିକିଆରେ ଯେତିକି ସୁଯୋଗ ମିଳିଛି, ସେଥିରେ ସେ ପ୍ରଭାବିତ କରିଛନ୍ତି ।
ଏବେ ଲଗାତାର ମହଙ୍ଗା ସାବ୍ୟସ୍ତ ହେଉଛନ୍ତି ବରୁଣ
ମାତ୍ର ଗତ ୫ ସପ୍ତାହରେ ବରୁଣ ପ୍ରଦର୍ଶନ ନିମ୍ନଗାମୀ ହେବାରେ ଲାଗିଛି । ଏବେ ଟିମରେ ତାଙ୍କର ପ୍ରତ୍ୟାବର୍ତ୍ତନ ମୁସ୍କିଲ ଲାଗୁଛି । ଟି-୨୦ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ସେ ଦମଦାର ପ୍ରଦର୍ଶନ କରିଥିଲେ । ମାତ୍ର ସୁପର-୮ ଆରମ୍ଭଠୁ ନେଇ ଏ ପର୍ଯ୍ୟନ୍ତ ସେ ଲଗାତାର ଖୁବ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି । କେବଳ ଏତିକି ନୁହେଁ ଆଇପିଏଲର ପ୍ରଥମ ଦୁଇଟି ମ୍ୟାଚରେ ସେ ଗୁରୁତର ଭାବେ ବିଫଳ ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ସେ ୪ ଓଭରରେ ୪୮ ରନ ଦେଇଥିବା ବେଳେ ଏସଆରଏଚ ବିପକ୍ଷ ମ୍ୟାଚରେ ମାତ୍ର ୨ ଓଭର ଦେଇ ୩୧ ରନ ବ୍ୟୟ କରିଥିଲେ । ଏହା ପରେ ତାଙ୍କୁ ପୁନର୍ବାର ବୋଲିଂ କରିବାର ସୁଯୋଗ ମିଳି ନ ଥିଲା।
ମୋଟାମୋଟି ଗତ ୭ ଟି-୨୦ ମ୍ୟାଚରେ ବରୁଣ ଚକ୍ରବର୍ତ୍ତୀ ୨୫ ଓଭର ବୋଲିଂ କରି ୩୦୪ ରନ ଦେଇଛନ୍ତି । ଅର୍ଥାତ ତାଙ୍କର ଇକୋନୋମି ରେଟ୍ ୧୨ରୁ ଅଧିକ ରହିଛି । ଏହି ସମୟରେ ମାତ୍ର ୫ ସଫଳତା ପାଇଛନ୍ତି । ଏହି ରେକର୍ଡ ଦର୍ଶାଉଛି ଯେ, ବରୁଣ ଉଭୟ ମୋର୍ଚ୍ଚାରେ ଫେଲ୍ ମାରୁଛି । ଯଦି ଆଗାମୀ ଦିନରେ ତାଙ୍କର ପ୍ରଦର୍ଶନରେ ସୁଧାର ନ ଆସେ ତେବେ ଟିମ୍ ଇଣ୍ଡିଆ ପୂର୍ବରୁ କେକେଆରର ଚୂଡାନ୍ତ ଏକାଦଶରୁ ବାଦ୍ ପଡି ପାରନ୍ତି ବରୁଣ ।