ଜମ୍ମୁ: ଜମ୍ମୁର ଅନ୍ତର୍ଜାତୀୟ ସୀମା କ୍ଷେତ୍ରରେ ପାକିସ୍ତାନ ପକ୍ଷରୁ ଭାରତୀୟ ରିମୋଟଲି ପାଇଲଟେଡ ଏୟାରକ୍ରାଫ୍ଟ(ଆରପିଏ) ଉପରେ ଫାୟରିଂର ମାମଲା ସାମ୍ନାକୁ ଆସିଛି । କିନ୍ତୁ ଏଥିରେ କାହାର କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ରିପୋର୍ଟ ମୁତାବକ, ଗତ ରାତିରେ ଅନାଚକ ସେକ୍ଟରରେ ପାକିସ୍ତାନର ପୋଷ୍ଟରେ ମୋଟ୍ ୫ ରାଉଣ୍ଡ ଫାୟର କରିଛି । ଏଥିରୁ ୪ ରାଉଣ୍ଡ ପାକିସ୍ତାନୀ ପୋଷ୍ଟ ଖେରି ଓ ଗୋଟିଏ ରାଉଣ୍ଡ ଅସଲମ ପୋଷ୍ଟରେ କରାଯାଇଛି ।
ସୂଚନା ମୁତାବକ, ଭାରତୀୟ ଆରପିଏ ନିଜ କ୍ଷେତ୍ରରେ ନିୟମିତ ପାଟ୍ରୋଲିଂ ବଢାଇ ଦେଇଛି । ତେବେ ପାକିସ୍ତାନ ପକ୍ଷରୁ ଏହି ଫାୟରିଂ କରାଯାଇଛି । ଏହି ଘଟଣାରେ ଭାରତୀୟ ଡ୍ରୋନର କୌଣସି କ୍ଷୟକ୍ଷତି ଘଟି ନାହିଁ ଏବଂ ସୁରକ୍ଷିତ ସୀମାକୁ ଫେରି ଆସିଛି । ଏହି ଘଟଣା ଏମିତି ସମୟରେ ସାମ୍ନାକୁ ଆସିଛି, ଯେବେ ସୀମାରେ ପୂର୍ବରୁ ଅନେକ ଥର ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତିର ଉଲ୍ଲଂଘନର ଘଟଣା ଘଟି ଆସିଛି । ଆଉ ଭାରତୀୟ ସେନା ଏହାର ଜବାବ ଦେଇଛି ।
ପାକିସ୍ତାନ ସୀମା ବଳର ଏହି ହୀନ କାର୍ଯ୍ୟରେ ଉତ୍ତେଜନା ବଢିପାରେ । ଗତ ବର୍ଷ ଦୁଇ ଦେଶ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଦେଖିବାକୁ ମିଳିଥିଲା । ପହଲଗାମ ହମଲା ପରଠୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଥିଲା । ଆଉ ଏବେ ଛୋଟ ଉସୁକାଇବା ପରି କାମ ଦୁଇ ଦେଶ ମଧ୍ୟରେ ତିକ୍ତତାକୁ ଆହୁରି ବଢାଇପାରେ ।
ଭାରତୀୟ ସୀମା ନିକଟରେ ପାକିସ୍ତାନୀ ଗତିବିଧି ଲଗାତାର ଜାରି ରହିଛି । ପଡୋଶୀ ଦେଶ ନିୟମିତ ଅସ୍ତ୍ରବିରତି ଉଲ୍ଲଂଘନ କରି ଚାଲିଛି । ନିକଟରେ ଏଲଓସି ନିକଟରେ ପାକିସ୍ତାନର ଡ୍ରୋନ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ପାକିସ୍ତାନ ଲଗାତାର ପିଓକେ ସ୍ଥିତ ଆତଙ୍କବାଦୀଙ୍କୁ ସହାୟତା ପହଞ୍ଚାଇ ଚାଲିଛି । ଅନ୍ୟପଟେ ଭାରତୀୟ ସେନା ଓ ଜମ୍ମୁ-କାଶ୍ମୀର ପୋଲିସ ଆଲର୍ଟରେ ଅଛନ୍ତି ଏବଂ ସର୍ଚ୍ଚ ଅପରେସନ ଚଳାଇଛନ୍ତି ।
Also Read: ବିଜୁ ବାବୁଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ, ନିଃସର୍ତ୍ତ କ୍ଷମା ମାଗିଲେ ସାଂସଦ ନିଶିକାନ୍ତ ଦୁବେ