ନୂଆଦିଲ୍ଲୀ: ଇରାନ ଯୁଦ୍ଧ ମଧ୍ୟରେ ସମଗ୍ର ଦୁନିଆରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଅନେକ ଦେଶରେ ସ୍ଥିତି ଗମ୍ଭୀର ରୂପ ନେଲାଣି । ଏମିତି ସ୍ଥିତିରେ ଭାରତରେ ବିମାନ ଯାତ୍ରାର ଭଡା ବଢିପାରେ । ଯାତ୍ରୀଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିପାରେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମନ୍ତ୍ରୀ ରାମ ମୋହନ ନାଇଡୁ ରାଜ୍ୟ ସରକାରମାନଙ୍କୁ ଏଭିଏସନ ଟର୍ବାଇନ ଫୁଏଲ ଉପରେ ଭାଟ୍ କମ କରିବାକୁ ଅପିଲ୍ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ରାଜ୍ୟ ସରକାରମାନଙ୍କ ସହ ଯୋଗାଯୋଗ କରି ଏୟାରଲାଇନ ଏବଂ ଯାତ୍ରୀ ଉଭୟଙ୍କୁ ଦୃଷ୍ଟିରେ ରଖି ଭାଟ୍ ହ୍ରାସ କରିବାକୁ ପରାମର୍ଶ ଦେଇଛନ୍ତି । ଉଲ୍ଲେଖନୀୟ ଏପ୍ରିଲ ୧ରୁ ଏଭିଏସନ ଟର୍ବାଇନ ଫୁଏଲର ମୂଲ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି । ଏମିତିରେ ଆଶଙ୍କା କରାଯାଉଛି ଯେ, ବିମାନ ଯାତ୍ରା ଭଡା ବଢିପାରେ ।
ବ୍ୟାରେଲ୍ ପିଛା ୧୫୦ ଡଲାର ପହଞ୍ଚିପାରେ ତେଲ ଦାମ
ଆମେରିକୀୟ ବ୍ୟାଙ୍କ ଜେପି ମୋର୍ଗାନର ମୁଖ୍ୟ ଅର୍ଥଶାସ୍ତ୍ରୀ ବ୍ରୁସ କାସମ୍ୟାନଙ୍କ କହିବା କଥା ଯଦି ହର୍ମୁଜ ପ୍ରଣାଳୀ ଆଉ କିଛି ମାସ ବନ୍ଦ ରହେ ତେବେ ତେଲ ଦାମ ଆକାଶଛୁଆଁ ହେବା ସହିତ ବ୍ୟାରେଲ ପ୍ରତି ଦାମ ୧୫୦ ଡଲାର ଛୁଇଁପାରେ । ଯଦି ଏମିତି ହୁଏ ତେବ ଏଭିଏସନ ଫୁଏଲ ବି ଆଗାମୀ ଦିନରେ ଅଧିକ ମହଙ୍ଗା ହୋଇପାରେ । ଏମିତି ସ୍ଥିତିରେ ଅନ୍ତର୍ଜାତୀୟ ସହିତ ଘରୋଇ ବିମାନର ଟିକେଟ୍ ଦର ବଢିବା ନିଶ୍ଚିତ ।
ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ କରିଛନ୍ତି । ଯାତ୍ରୀ ଏବଂ ଏୟାର ଲାଇନ କମ୍ପାନିକୁ ଦୃଷ୍ଟିରେ ରଖି ଭାଟ୍ କମାଇବାକୁ ଅପିଲ୍ କରିଛନ୍ତି । କାରଣ ଭାଟ୍ ରାଜ୍ୟ ସରକାରଙ୍କ ଅଧିନରେ ଆସିଥାଏ । ଗୋଟିଏ ପଟେ ଏଲପିଜି ସିଲିଣ୍ଡରକୁ ନେଇ ଲୋକଙ୍କ ମଧ୍ୟରେ ଯେଉଁ ଆକ୍ରୋଶ ରହିଛି ଏହି ସମୟରେ ଅନ୍ୟ କ୍ଷେତ୍ରରେ ଦର ବଢିଲେ ତାହା ସରକାରଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିପାରେ, କାରଣ ଆଗକୁ ଅନେକ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି ।