କଟକ ହାଇକୋର୍ଟ ସମ୍ମୁଖରେ ଘଟିଥିବା ଆଜିର ଭୟାଭୟ ଅଗ୍ନିକାଣ୍ଡ କୌଣସି ଦୁର୍ଘଟଣା ନୁହେଁ, ବରଂ ଏହା ଏକ ଯୋଜନାବଦ୍ଧ ଆକ୍ରୋଶର ପରିଣାମ। ଜଣେ ମହିଳା ନିଜର ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସ୍ୱୀକାର କରିଛନ୍ତି, ଯାହା ଫଳରେ ଏକ ବୋଲେରୋ ସମେତ ୪ଟି ଗାଡ଼ି ଜଳି ପାଉଁଶ ହୋଇଯାଇଛି।
ଅଗ୍ନିକାଣ୍ଡ ଘଟାଇଥିବା ଅଭିଯୁକ୍ତ ମହିଳା ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅଞ୍ଚଳର ମିନତି ସାହୁ। ଘଟଣା ପରେ ପୋଲିସ ତାଙ୍କୁ କାବୁ କରି ଅଟକ ରଖିଛି। ତେବେ ମିନତିଙ୍କ କହିବା ଅନୁସାରେ, ସେ ଦୀର୍ଘ ଦିନ ଧରି ନିଜର କିଛି ବ୍ୟକ୍ତିଗତ ଓ ଆଇନଗତ ସମସ୍ୟାର ସମାଧାନ ପାଇଁ ପୋଲିସର ଦ୍ୱାରସ୍ଥ ହେଉଥିଲେ। ମାତ୍ର ପୋଲିସ ତାଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ସହାୟତା କରିବାକୁ ମନା କରିଦେଇଥିଲା। ଏହି ଅବହେଳା ଓ ଅନ୍ୟାୟର ପ୍ରତିଶୋଧ ନେବା ପାଇଁ ସେ ହାଇକୋର୍ଟ ପରିସରକୁ ବାଛିଥିଲେ।
ସବୁଠୁ ବଡ଼ କଥା ହେଉଛି କି ଏପରି କରିବା ପାଇଁ ମିନତୀ ଏକ ଷଡ଼ଯନ୍ତ୍ର ରଚିଥିଲେ। ସେ ଯୋଜନାବଦ୍ଧ ଭାବେ ଗଣେଶ ଘାଟ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିଣିଥିଲେ। ଏକ କପଡ଼ାରେ ପେଟ୍ରୋଲ ଢାଳି ସେଥିରେ ନିଆଁ ଲଗାଇ ସେ ହାଇକୋର୍ଟ କ୍ୟାମ୍ପସ ଭିତରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ତାଙ୍କର ଲକ୍ଷ୍ୟ ଥିଲା କୋର୍ଟ ପରିସର ଭିତରେ ନିଆଁ ଲଗାଇବା। ମାତ୍ର ସେ ଫିଙ୍ଗିଥିବା ନିଆଁ ଲଗା କପଡ଼ାଟି କୋର୍ଟର ପାଚେରୀରେ ବାଜି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକ ଉପରେ ପଡ଼ିଥିଲା। ନିମିଷକ ମଧ୍ୟରେ ନିଆଁ ଭୟଙ୍କର ରୂପ ଧାରଣ କରି ବୋଲେରୋ, ଇଲେକ୍ଟ୍ରିକ୍ ସ୍କୁଟି ଓ ବାଇକ୍କୁ ଜାଳି ଦେଇଥିଲା। ବଡ଼ କଥା ହେଉଛି କି ମିନତି ଏହି କାଣ୍ଡ ଘଟାଇବା ପୂର୍ଵରୁ ନିଜ ମୋବାଇଲଟିକୁ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ଦେଇ ଏହାର ଭିଡିଓ ମଧ୍ୟ କରିଛନ୍ତି।
ହାଇକୋର୍ଟ ସାମ୍ନାରେ ଅଗ୍ନିକାଣ୍ଡରେ ନିଆଁ ଲାଗି ଗୋଟିଏ ସ୍କର୍ପିଓ ଗାଡ଼ି, ଦୁଇଟି ସ୍କୁଟର ଏବଂ ଗୋଟିଏ ଇଭି ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଛି। ହଠାତ ହୁତୁହୁତୁ ହୋଇ ନିଆଁ ଜଳୁଥିବା ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛି ଏଥିସହ ସାମ୍ନାକୁ ଆସିଛି ଅଭିଯୁକ୍ତ ମହିଳାଙ୍କ କଳାକାରନାମା।
ଅଧିକ ପଢନ୍ତୁ: ଓଡ଼ିଶା ହାଇକୋର୍ଟ ସାମ୍ନାରେ ବଡ଼ ଅଗ୍ନିକାଣ୍ଡ; ହୁତୁହୁତୁ ହୋଇ ଜଳିଗଲା ସ୍କର୍ପିଓ, ସ୍କୁଟର ସହ ଇଭି ଗାଡି