ବନ୍ଦ ହେବନି ଆହାର କେନ୍ଦ୍ର । ଆହାର କେନ୍ଦ୍ରକୁ ଗ୍ୟାସ୍ ଯୋଗାଣରେ ହେବନି କୌଣସି ଅସୁବିଧା । ପୂର୍ବରୁ ଯେମିତି ଲୋକ ମାନେ ଆହାର କେନ୍ଦ୍ରରେ ଖାଇବା ପାଇ ପାରୁଥିଲେ ସେମିତି ଚାଲୁ ରହିବ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶ ତଥା ରାଜ୍ୟରେ ରନ୍ଧନ ଗ୍ୟାସ୍ ଓ ପେଟ୍ରୋଲିଅମ୍ ଆଦିର ନିଅଣ୍ଟିଆ ସ୍ଥିତି ଦେଖାଦେଇଛି । ଏହି ସ୍ଥିତିରେ ରାଜ୍ୟରେ ଥିବା ୯୦ଟି କେନ୍ଦ୍ରୀୟ ରୋଷେଇଶାଳ ସହାୟତାରେ ଚାଲୁଥିବା ୧୭୦ଟି ଆହାରକେନ୍ଦ୍ର ଚାଲିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ରାଜ୍ୟ ସରକାର ଏହି ଆଶଙ୍କା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । କୌଣସି ଆହାରକେନ୍ଦ୍ର ଗ୍ୟାସ୍ ଯୋଗୁଁ ବନ୍ଦ ହେବନାହିଁ ବୋଲି ଆଶ୍ବସନା ଦେଇଛନ୍ତି । ସାରା ଓଡ଼ିଶାରେ ଥିବା ଆହାର ରୋଷେଇ ଶାଳଗୁଡ଼ିକ ପାଇଁ ରନ୍ଧନ ଗ୍ୟାସ ଯୋଗାଣକୁ ସରଳୀକୃତ ଏବଂ ସୁରକ୍ଷିତ କରିବାକୁ ବିଭାଗ ପକ୍ଷରୁ ବ୍ୟାପକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ‘ଆହାର’ ଯୋଜନାକୁ ନିରନ୍ତର ଓ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଏବଂ ଜିଲ୍ଲା ଓ ସିଟି ଆହାର ସୋସାଇଟିର ସଭାପତିମାନଙ୍କୁ ପତ୍ର ଲେଖି ଏହି ଯୋଜନାର ଲଜିଷ୍ଟିକ୍ସ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ସେବା ପ୍ରଦାନରେ ଯେପରି କୌଣସି ଅନ୍ତରାୟ ସୃଷ୍ଟି ନହୁଏ, ସେଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିଜ ନିଜ ଅଞ୍ଚଳରେ ରନ୍ଧନ ଗ୍ୟାସର ଉପଲବ୍ଧତା ସମ୍ପର୍କରେ ତୁରନ୍ତ ସମୀକ୍ଷା କରିବାକୁ ଏବଂ ଗ୍ୟାସ ଯୋଗାଣକାରୀ ଓ ବିତରକଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟ ପ୍ରସ୍ତୁତି ଏବଂ ବଣ୍ଟନ ପ୍ରକ୍ରିୟାରେ ଯେପରି କୌଣସି ସମସ୍ୟା ନଉପୁଜେ, ସେଥିପାଇଁ ସମୟୋଚିତ ପଦକ୍ଷେପ ନେବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।