ପୁରୀ: ସାମାନ୍ୟ ମଦ ପାଇଁ ସାଙ୍ଗକୁ ଅତି ନିର୍ମମ ଭାବେ କରିଛି ସାଙ୍ଗ । ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ପେଣ୍ଠକଟା ତାରିଣୀ ବସ୍ତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ପୁରୀ ପୋଲିସ ପର୍ଦ୍ଦାଫାଶ କରିଛି । ସମୁଦ୍ରକୂଳ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା ତାରିଣୀ ବସ୍ତିର ଗୋବିନ୍ଦ ପାଇକରାୟ । ଅଭିଯୁକ୍ତଠାରୁ ହତ୍ୟାରେ ବ୍ୟବହୃତ ଚାପଡ଼ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି । ଏ ନେଇ ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
ଗତ ଶୁକ୍ରବାର ରାତିରେ ତପୁ, ଗୋବିନ୍ଦ ଓ ଅନ୍ୟ ସାଙ୍ଗ ଚାରି ଜଣ ରେଳ ଷ୍ଟେସନ ନିକଟରେ ମଦ ପିଇବାକୁ ଯୋଜନା କରିଥିଲେ । ମଦ ସରିଯିବା ପରେ ତପୁ ଆହୁରି ମଦ ଆଣିବା ପାଇଁ ଗୋବିନ୍ଦକୁ କହିଥିଲା । ତେବେ ଗୋବିନ୍ଦ ମଦ ଆଣି ନ ପାରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଗୋବିନ୍ଦ ଉତକ୍ଷିପ୍ତ ହୋଇ ଘର ଭିତରୁ ଏକ ଚାପଡ ଆଣି ତପୁ ଓ ବବୁଲୁକୁ ମରଣାନ୍ତକ ଆକ୍ରମଣ କରିଥିଲା । ତପୁ ବାଲି ଉପରେ ମୁହଁ ମାଡି ପଡିଯିବାରୁ ଗୋବିନ୍ଦ ଏକ ପଥରରେ ତପୁ ମୁଣ୍ଡକୁ ଛେଚି ଦେଇଥିଲା । ଘଟଣାସ୍ଥଳରେ ହିଁ ତପୁର ମୃତ୍ୟୁ ହୋଇଥିଲା ।
କୌଶଳବଶତଃ ବବୁଲୁ ସେଠାରୁ ଖସି ପଳାଇ ଆସିଥିଲା । ସ୍ଥାନୀୟ ଲୋକେ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ପରଠାରୁ ଗୋବିନ୍ଦ ଫେରାର ହୋଇଯାଇଥିଲା । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗୋବିନ୍ଦକୁ ଗିରଫ କରିବାରେ ସଫଳ ହୋଇଛି ।