ପୁରୀ: ପୁରୀ ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ କଏଦୀ ହେଉଛନ୍ତି ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦୀପ୍ତିରଞ୍ଜନ ସ୍ୱାଇଁ l ରବିବାର ଜେଲରେ ଥିବା ଶୌଚାଳୟରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ସେ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିଲେ ।
୨୦୨୩ରେ ଏକ ଦୁଷ୍କର୍ମ ଅଭିଯୋଗରେ ଦୀପ୍ତି ରଞ୍ଜନ ଗିରଫ ହୋଇଥିଲେ । ଆଜି ଝୁଲନ୍ତା ଅବସ୍ଥାରେ ଶୌଚାଳୟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛି । ଆଗାମୀ ଦିନରେ କୋର୍ଟରେ ଶୁଣାଣି ଥିଲା । ସେ ଜେଲରୁ ବାହାରିବାର ସମ୍ଭାବନା ଥିଲା । ତେଣୁ ତାଙ୍କୁ ଜେଲରେ କେହି ହତ୍ୟା କରିଥିବା ଦୀପ୍ତିରଞ୍ଜନଙ୍କ ଭାଇ ଅଭିଯୋଗ ଆଣିଛନ୍ତି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ଉଲ୍ଲେଖ ଯୋଗ୍ୟ, ପୁରୀ ଜେଲରେ ଏହା କୌଣସି ନୂଆ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏମିତି ଅନେକ ଘଟଣା ଘଟିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ସମସ୍ତେ ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଅଟନ୍ତି । ୩ ମାର୍ଚ୍ଚ, ୨୦୧୯ରେ ଜଣେ ଅଭିଯୁକ୍ତର ଶୌଚାଳୟରୁ ମୃତ ଦେହ ମିଳିଥିଲା । ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଖୋର୍ଦ୍ଧା ଶରଧାପୁରର ସେ୍କ୍ ଅକବର ମହମ୍ମଦଙ୍କୁ ଝୁଲନ୍ତା ଅବସ୍ଥାରେ ଶୌଚାଳୟରୁ ଉଦ୍ଧାର କରାଯାଇଥିଲା। ୩୦ ସେପ୍ଟେମ୍ବର, ୨୦୨୨ରେ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ସତ୍ୟବାଦୀ ଥାନା ଅଞ୍ଚଳର ଶିବପ୍ରସାଦ ଭୋଇ ମଧ୍ୟ ଆତ୍ମହତ୍ୟା କରିଥିଲେ । ସେପ୍ଟେମ୍ବର, ୨୦୨୫ରେ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥିବା ପିପିଲିର ବୁଲୁ ବେହେରାଙ୍କ ଶୌଚାଳୟରୁ ଝୁଲନ୍ତା ମୃତ ଦେହ ମିଳିଥିଲା ।
୨୦୨୪, ଅଗଷ୍ଟ ୧ରେ ବ୍ରାଉନ ସୁଗାର ମାମଲାରେ ଗିରଫ ପିପିଲିର ଶେଖ୍ ଅବଦୁଲ ଅମିରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଅଭିଯୋଗ ଆଣିଥିଲା ।