କେନ୍ଦୁଝର: ସରକାର ବଦଳିଲା କିନ୍ତୁ ବଦଳିଲା ନାହିଁ ବ୍ୟବସ୍ଥା । କେଉଁଠି ରାସ୍ତା ଅଛି ତ ଆମ୍ବୁଲାନ୍ସ ନାହିଁ ତ ଆଉ କେଉଁଠି ଆମ୍ବୁଲାନ୍ସ ଅଛି ତ ଗାଁକୁ ରାସ୍ତା ନାହିଁ । ଆଜି ବି ଗର୍ଭବତୀଙ୍କ ଗର୍ଭ ଯନ୍ତ୍ରଣାଠାରୁ ବଳି ଯାଉଛି ଗମନାଗମନ ଯନ୍ତ୍ରଣା । ରାସ୍ତା ନ ଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରିଲା ନାହିଁ, ଶେଷରେ ଟ୍ରାକ୍ଟରରେ ବୁହା ହୋଇ ଡାକ୍ତରଖାନା ଯାଇଛନ୍ତି ଜଣେ ଗର୍ଭବତୀ ମହିଳା । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରୁ ଆସିଛି ରାସ୍ତାଘାଟର ଏଭଳି ଦୟନୀୟ ଚିତ୍ର ।
ଜିଲ୍ଲାର ତେଲକୋଇ ବ୍ଲକ କରମଙ୍ଗି ପଞ୍ଚାୟତ ଅଲୁଣି ଗ୍ରାମର ହଳଦୀପାଣି ସାହିର ରୁବି ମୁର୍ମୁଙ୍କ ସ୍ତ୍ରୀ ସରସ୍ଵତୀ ମାରାଣ୍ଡି(୨୫) ଗର୍ଭବତୀ ଥିଲେ । ପ୍ରଥମ ଗର୍ଭ ଯନ୍ତ୍ରଣା ହେବାରୁ ଆଶା କର୍ମୀ ମାଳତୀ ହାଁସଦା ଆମ୍ବୁଲାନ୍ସକୁ ଡକାଇଥିଲେ । ଆମ୍ବୁଲାନ୍ସ ଆସିଲା ସତ, କିନ୍ତୁ ରାସ୍ତାର ଅବସ୍ଥା ଦୟନୀୟ ହୋଇଥିବାରୁ ଗାଁକୁ ଯାଇ ପାରିଲା ନାହିଁ । ଫଳରେ ଏକ ଟ୍ରାକ୍ଟରର ବ୍ୟବସ୍ଥା କରାଯାଇଥିଲା । ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ହୋଇଯାଇଥିଲା । ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ୨ ଘଣ୍ଟା ପରେ ଏକ ଟ୍ରାକ୍ଟର୍ ଯୋଗେ ୨ କିଲୋମିଟର ଦୂର ବାଲିଯୋଡି ଗ୍ରାମ ପାଖରେ ଅଟକିଥିବା ଆମ୍ବୁଲାନ୍ସ ନିକଟକୁ ଗର୍ଭବତୀଙ୍କୁ ନିଆଯାଇଥିଲା । ପ୍ରଥମେ ତେଲକୋଇ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ, ଏହି ଅଲୁଣି ଗ୍ରାମରେ ୪ଟି ସାହି ରହିଛି । ଅଲୁଣି, ବିଜାଖୋଳ, କରଡାବଣି ଓ ହଳଦୀପାଣିର ସମସ୍ତ ଜନସାଧାରଣ ଆଦିବାସୀ ସମ୍ପ୍ରଦାୟ । ହଳଦୀପାଣିରେ ୩୫ଟି ସାନ୍ତାଳୀ ପରିବାର ରହୁଛନ୍ତି । ନିତିଦିନିଆ ରାସ୍ତାଟିଏ ନଥିବାରୁ ଲୋକେ ଦୟନୀୟ ଜୀବନ ବିତାଉଛନ୍ତି । ପାଦଚଲା ମାଟି ରାସ୍ତା, ଟିକିଏ ବର୍ଷା ହେଲେ ସାଇକେଲଟିଏ ଚଲାଇବା ମଧ୍ୟ ମୁସ୍କିଲ ହୋଇପଡ଼େ । ମୁଖ୍ୟ ଗ୍ରାମକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ସାହି ଗୁଡ଼ିକର ସ୍ଥିତି ଅତ୍ୟନ୍ତ ଦୟନୀୟ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।