ସମ୍ବଲପୁର: ବୁର୍ଲା ଭିମସାର ମେଡ଼ିକାଲ କଲେଜ ଓ ହସ୍ପିଟାଲର ଜଣେ ପିଜି ଡାକ୍ତରୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେ ୩୦ ବଟିକା ଖାଇ ଦେଇଛନ୍ତି । ଭିମସାରର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି ।
ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ବୁର୍ଲା ଭୀମସାରର ପିଜି ପ୍ରଥମ ବର୍ଷର ଅଟନ୍ତି । ସେ ବିବାହିତ ହୋଇଥିବାବେଳେ ତାଙ୍କ ସ୍ୱାମୀ କଟକ ଏସସିବି ମେଡ଼ିକାଲରେ ପିଜି କରୁଛନ୍ତି । ଗତକାଲି ଛାତ୍ରୀ ଜଣକ ମାତ୍ରାଧିକ ବଟିକା ସେବନ କରିଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ବୁର୍ଲା ଭାରପ୍ରାପ୍ତ ନିର୍ଦ୍ଦେଶକ ଲାଲ ମୋହନ ନାୟକ ସ୍ୱୀକାର କରିଛନ୍ତି । ତାଙ୍କର ଡାଇଲେସିସ୍ କରାଯାଇଛି । ଅବସ୍ଥା ସ୍ଥିର ଥିବା ନିର୍ଦ୍ଦେଶକ କହିଛନ୍ତି ।
ଛାତ୍ରୀ ଜଣକ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ତାହା ଜଣାପଡ଼ି ନାହିଁ । ବିଭାଗ ଭିତରେ ସମସ୍ୟାକୁ ନେଇ ସେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ତାଙ୍କର ରାତି ଡ୍ୟୁଟିକୁ ନେଇ ଅଭିଯୋଗ ଥିଲା ବୋଲି ନିର୍ଦ୍ଦେଶକ କହିଛନ୍ତି । ତେବେ ବୁର୍ଲା ପୋଲିସ ନିକଟରେ ପରିବାର ପକ୍ଷରୁ କିମ୍ବା ଭିମସାର ପକ୍ଷରୁ କୌଣସି ଏତଲା ଦିଆଯାଇନଥିବା ପୋଲିସ କହିଛି । ସେପଟେ ଛାତ୍ରୀଙ୍କ ପରିବାର ମଧ୍ୟ ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଚୁପ ରହିଛନ୍ତି ।