ନୂଆଦିଲ୍ଲୀ: ଆଜିର ସମୟରେ ସାବୁନ୍ ବିନା ଗାଧୋଇବା କଥା କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଶହ ଶହ ବର୍ଷ ପୂର୍ବେ ଯେତେବେଳେ ସାବୁନ୍ ନଥିଲା, ସେତେବେଳେ ଭାରତରେ ଲୋକେ ନିଜ ଶରୀରକୁ କିପରି ସଫା କରୁଥିଲେ? ଭାରତୀୟ ସଭ୍ୟତାରେ ସ୍ୱଚ୍ଛତା ପାଇଁ ପ୍ରକୃତିର ସାହାଯ୍ୟ ନିଆଯାଉଥିଲା, ଯାହା ଆଜିର କେମିକାଲ୍ ଯୁକ୍ତ ସାବୁନ୍ ଠାରୁ ଅଧିକ ପ୍ରଭାବଶାଳୀ ଥିଲା।
ସାବୁନ୍ ପୂର୍ବରୁ କଣ ବ୍ୟବହାର କରାଯାଉଥିଲା?
ପ୍ରାଚୀନ ଭାରତରେ ଲୋକେ ଗାଧୋଇବା ପାଇଁ ସମ୍ପୂର୍ଣ୍ଣ ପ୍ରାକୃତିକ ଜିନିଷ ଉପରେ ନିର୍ଭର କରୁଥିଲେ:
• ସିଠା ଏବଂ ଶିକାକାଇ: କେଶ ଏବଂ ଶରୀର ସଫା କରିବା ପାଇଁ ସିଠା ଓ ଶିକାକାଇ ସବୁଠାରୁ ଲୋକପ୍ରିୟ ଥିଲା। ଏହାକୁ ପାଣିରେ ଭିଜାଇଲେ ସାବୁନ୍ ଭଳି ଫେଣ ବାହାରୁଥିଲା, ଯାହା ଚର୍ମର ମଇଳା ସଫା କରିବାରେ ସାହାଯ୍ୟ କରୁଥିଲା।
• ମୁଲତାନି ମାଟି: ଶରୀରରୁ ଅଧିକ ତେଲ ଏବଂ ମଇଳା ବାହାର କରିବା ପାଇଁ ମୁଲତାନି ମାଟିର ପ୍ରଲେପ ଲଗାଯାଉଥିଲା। ଏହା ଚର୍ମକୁ ଥଣ୍ଡା ରଖିବା ସହ ଚମକ ମଧ୍ୟ ପ୍ରଦାନ କରୁଥିଲା।
• ଉବଟନ୍ : ହଳଦୀ, ବେସନ, ଚନ୍ଦନ ଏବଂ କ୍ଷୀରକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଉଥିଲା, ଯାହାକୁ 'ଉବଟନ୍' କୁହାଯାଏ। ଏହା ଏକ ପ୍ରାକୃତିକ ସ୍କ୍ରବ୍ ଭାବେ କାମ କରୁଥିଲା।
• ଆୟୁର୍ବେଦିକ ଗଛର ପତ୍ର: ଅନେକ ସମୟରେ ପାଣିରେ ନିମ ପତ୍ର କିମ୍ବା ଗୋଲାପ ପତ୍ର ପକାଇ ଗାଧୋଇବା ଦ୍ୱାରା ଶରୀର ଜୀବାଣୁମୁକ୍ତ ରହୁଥିଲା।
ସାବୁନ୍ର ଇତିହାସ: କେବେ ହେଲା ଆବିଷ୍କାର?
ସାବୁନ୍ର ଇତିହାସ ପ୍ରାୟ ୫୦୦୦ ବର୍ଷ ପୁରୁଣା। କୁହାଯାଏ ଯେ ବେବିଲୋନର ଲୋକମାନେ ପ୍ରଥମେ ଚର୍ବି, ପାଉଁଶ ଏବଂ ପାଣିକୁ ମିଶାଇ ଏକ ସାବୁନ୍ ଭଳି ପଦାର୍ଥ ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ମିଶରର ଲୋକମାନେ ପଶୁ ଏବଂ ଉଦ୍ଭିଦ ତେଲ ସହିତ କ୍ଷାରୀୟ ଲୁଣ ମିଶାଇ ସାବୁନ୍ ତିଆରି କଲେ।
ଭାରତକୁ କେବେ ଆସିଲା ସାବୁନ୍?
ଭାରତରେ ଆଧୁନିକ ସାବୁନ୍ର ପ୍ରବେଶ ବ୍ରିଟିଶ୍ ଶାସନ କାଳରେ ହୋଇଥିଲା। ୧୮୯୭ ମସିହାରେ ପ୍ରଥମ ଥର ପାଇଁ ଲିଭର ବ୍ରଦର୍ସ ଭାରତକୁ ସାବୁନ୍ ଆଣିଥିଲେ। ପ୍ରଥମେ ଏହା କେବଳ ଧନୀ ଲୋକଙ୍କ ବ୍ୟବହାର ପାଇଁ ଥିଲା। ପରେ ୧୯୧୮ ମସିହାରେ ଜାମସେଦଜୀ ଟାଟା ଭାରତର ପ୍ରଥମ ସ୍ୱଦେଶୀ ସାବୁନ୍ କାରଖାନା 'ଟାଟା ଅଏଲ୍ ମିଲ୍ସ କମ୍ପାନୀ' (TOMCO) ସ୍ଥାପନ କରିଥିଲେ ଏବଂ 'ଓକେ' (OK) ନାମରେ ସାବୁନ୍ ବଜାରକୁ ଆଣିଥିଲେ। ଅବଶ୍ୟ ଏହା ଲୁଗାପଟା ସଫା ପାଇଁ ବ୍ୟବହାର ହେଉଥିଲା। ଏହା ପରେ ମହୀଶୂରର ରାଜା ଗୋଟିଏ କମ୍ପାନୀ ତିଆରି କରି ଚନ୍ଦନ ସାବୁନ ପ୍ରସ୍ତୁତ କରିଥିଲେ। ଯାହା ଏବେ ମଧ୍ୟ ଜଣାଶୁଣା। ଆଉ ଯେଉଁ ସାବୁନର ବ୍ରାଣ୍ଡ୍ ଆମ୍ବାସଡ଼ାର ଏବେ ବାହୁବଳୀ ଫେମ୍ ତମନ୍ନା ଭାଟିଆ ଅଛନ୍ତି। ସେହି ସାବୁନର ନାମ ହେଉଛି ମହୀଶୂର ସାଣ୍ଡଲ ସପ୍।