ସମ୍ବଲପୁର: ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା ଓ ଦୌରାଜଜ୍ ରାୟ ଶୁଣାଇଛନ୍ତି । ଏହି ମାମଲାରେ ବିଚାରପତି ପ୍ରଜ୍ଞା ପାଣିଗ୍ରାହୀ ୭ ଅଭିଯୁକ୍ତ ଅଶୋକ କୁମାର ପ୍ରଧାନ, ଭୋଜରାଜ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ଗଜରାଜ ପ୍ରଧାନ, ଭୀଷ୍ମଦେବ ପ୍ରଧାନ, ରଞ୍ଜିତ ଓରଫ ଦୁଷ୍ମନ୍ତ ଭୋଇ ଏବଂ ଭୀଷ୍ମଜିତ ଭୋଇଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ପ୍ରମାଣ ଅଭାବରୁ ଅନ୍ୟତମ ଅଭିଯୁକ୍ତ ବିରଞ୍ଚି ବିଶ୍ୱାଳଙ୍କୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି।
କୋର୍ଟ ଏହି ମାମଲାରେ ୨୩ ଜଣ ସାକ୍ଷୀଙ୍କ ବୟାନ ଏବଂ ପ୍ରମାଣକୁ ଆଧାର କରି ଭାରତୀୟ ପିଙ୍ଗଳ କୋର୍ଟର ଦଫା ୩୦୨ ଅନୁଯାୟୀ ସମସ୍ତଙ୍କୁ ଜେଲ ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି । ଜରିମାନା ଅନାଦେୟ କଲେ ଅତିରିକ୍ତ ଦୁଇ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ଏହା ବ୍ୟତୀତ ଦଫା ୩୦୭ରେ ୧୦ ବର୍ଷ ଓ ଦଫା ୧୪୮ରେ ୨ ବର୍ଷର କାରାଦଣ୍ଡ ମଧ୍ୟ ଶୁଣାଯାଇଛି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସୁଭାଷ ଚନ୍ଦ୍ର ମହାନ୍ତ ଅଦାଲତରେ ଏହି ମାମଲାକୁ ପରିଚାଳନା କରୁଥିଲେ।
ସୂଚନାଯୋଗ୍ୟ ଯେ, ୧୬ ସେପ୍ଟେମ୍ବର ୨୦୨୧ ରାତି ପ୍ରାୟ ୮ଟା ସମୟରେ ପ୍ରଧାନପାଲି ଗୁଲାମାଲ ଅଞ୍ଚଳରେ ପ୍ରକାଶ ପ୍ରଧାନ, ଅଜୟ ବାରିକ ଏବଂ ଅଜୟ ବାରିକ ବିଶ୍ୱକର୍ମା ପୂଜା ପାଇଁ ସାମଗ୍ରୀ କିଣିବାକୁ ବଜାରକୁ ଯାଇ ଘରକୁ ଫେରୁଥିଲେ । ଏହି ସମୟରେ ଦୁଇ ସାଙ୍ଗଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା । ଲୁହା ପାଇପ୍, ଭୁଜାଲି ଓ କୁରାଢ଼ି ସାହାଯ୍ୟରେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ପ୍ରକାଶ ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା । ଧନଞ୍ଜୟ ବେହେରା ଓ ଅଜୟ ବାରିକ ଗୁରୁତର ଆହତ ହୋଇଥିଲେ।