ବୈଜ୍ଞାନିକମାନେ ଚନ୍ଦ୍ର ପରି ନକଲି ମାଟିରେ କାବୁଲି ଚଣା ଫସଲ ସଫଳତାର ସହ ଉତ୍ପାଦନ କରି ମହାକାଶ ଚାଷ (Space Farming) ଦିଗରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଟେକ୍ସାସ ବିଶ୍ୱବିଦ୍ୟାଳୟର ଏହି ଗବେଷଣାରେ ଭର୍ମି କମ୍ପୋଷ୍ଟ ଏବଂ ଏକ ବିଶେଷ ପ୍ରକାରର ଫଙ୍ଗସ ସାହାଯ୍ୟରେ ଗଛ ବଢ଼ାଯାଇଛି। ଏହାଦ୍ୱାରା ଭବିଷ୍ୟତରେ ଚନ୍ଦ୍ରରେ ମହାକାଶଚାରୀମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଦୀର୍ଘକାଳୀନ ମିଶନକୁ ସଫଳ କରିବା ପାଇଁ ଆଶା ବଢ଼ିଛି।
ବୈଜ୍ଞାନିକମାନଙ୍କ ମନରେ ଏହି ଜିଜ୍ଞାସା ରହିଛି ଯେ, କଣ ଆଗାମୀ ସମୟରେ ମହାକାଶଚାରୀମାନେ ଚନ୍ଦ୍ରରେ ନିଜ ପାଇଁ ଖାଦ୍ୟ ନିଜେ ଉତ୍ପାଦନ କରିପାରିବେ? ଚନ୍ଦ୍ରରେ ଦୀର୍ଘ ସମୟ ରହିବା ଏବଂ କାମ କରିବା ପାଇଁ ସେଠାକାର ସମ୍ବଳର ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ। ଏହାକୁ ଧ୍ୟାନରେ ରଖି ଏକ ପରୀକ୍ଷା କରାଯାଇଥିଲା। ଟେକ୍ସାସ ବିଶ୍ୱବିଦ୍ୟାଳୟର ଗବେଷକମାନେ ଚନ୍ଦ୍ର ପରି ନକଲି ମାଟି ପ୍ରସ୍ତୁତ କରି ସେଥିରେ ବୁଟ ଚାଷ କରିବାରେ ସଫଳ ହୋଇଛନ୍ତି।
'ମାଇଲ୍ସ'ରୁ ବଢ଼ିଲା ଆଶା
ପ୍ରଥମ ଥର ପାଇଁ ଚନ୍ଦ୍ରର ନକଲି ମାଟିରେ ଚଣା ଫସଲ କରାଯାଇଛି। ଏଥିପାଇଁ କାବୁଲି ଚଣାର ‘ମାଇଲ୍ସ’ କିସମକୁ ଚୟନ କରାଯାଇଛି, ଯାହାର ଆକାର ମହାକାଶର ପରିବେଶରେ ଚାଷ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଏ। ଏହି ସଫଳତା ପରେ ଭବିଷ୍ୟତରେ ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ତାଜା ଖାଦ୍ୟ ପାଇପାରିବେ ବୋଲି ଆଶା କରାଯାଉଛି।
ଚନ୍ଦ୍ରର ମାଟି ଓ ବୈଜ୍ଞାନିକ ଆହ୍ୱାନ
ଏହି ପ୍ରୋଜେକ୍ଟର ମୁଖ୍ୟ ବୈଜ୍ଞାନିକ ସାରା ସାଣ୍ଟୋସ୍ କହିଛନ୍ତି ଯେ, ଗବେଷଣାର ମୂଳ ଲକ୍ଷ୍ୟ ହେଉଛି ଚନ୍ଦ୍ରରେ ଫସଲ କରିବାର ସମ୍ଭାବନାକୁ ଜାଣିବା। ଚନ୍ଦ୍ରର ଧୂଳି ବା 'ଲୁନାର ରେଗୋଲିଥ୍'କୁ କିପରି ମାଟିରେ ପରିଣତ କରାଯାଇପାରିବ, ସେନେଇ ବୈଜ୍ଞାନିକମାନେ ଅନୁସନ୍ଧାନ କରୁଛନ୍ତି। ପୃଥିବୀର ମାଟି ଭଳି ଏଥିରେ ବ୍ୟାକ୍ଟେରିଆ ବା ଜୈବିକ ପଦାର୍ଥ ନଥାଏ। ଏଥିରେ ଜରୁରୀ ଖଣିଜ ତତ୍ତ୍ୱ ଥିଲେ ମଧ୍ୟ କିଛି ଭାରୀ ଧାତୁ ରହିଥାଏ ଯାହା ଗଛ ବଢ଼ିବାରେ ବାଧା ସୃଷ୍ଟି କରେ।
ମାଟିକୁ କରାଗଲା ଉନ୍ନତ
ବୈଜ୍ଞାନିକମାନେ ପରୀକ୍ଷାରେ ଯେଉଁ ମାଟି ବ୍ୟବହାର କରିଥିଲେ, ତାହା ଆପୋଲୋ ମିଶନ ସମୟରେ ଅଣାଯାଇଥିବା ଚନ୍ଦ୍ରର ନମୁନା ସହ ସମାନ ଥିଲା। ଏହି ମାଟିକୁ ଉନ୍ନତ କରିବା ପାଇଁ ସେଥିରେ ଭର୍ମି କମ୍ପୋଷ୍ଟ ମିଶାଯାଇଥିଲା। ଏଥିସହ ଚଣା ମଞ୍ଜିରେ Arbuscular Mycorrhizal ନାମକ ଏକ ଫଙ୍ଗସ ଲଗାଯାଇଥିଲା। ଏହି ଫଙ୍ଗସ ଗଛର ଚେରକୁ ପୋଷକ ତତ୍ତ୍ୱ ଶୋଷିବାରେ ସାହାଯ୍ୟ କରେ ଏବଂ ଭାରୀ ଧାତୁର କୁପ୍ରଭାବକୁ କମାଇଥାଏ।
ଫଙ୍ଗସର ଗୁରୁତ୍ୱ
ପରୀକ୍ଷାରୁ ଜଣାପଡିଛି ଯେ, ୭୫ ପ୍ରତିଶତ ପର୍ଯ୍ୟନ୍ତ ଚନ୍ଦ୍ର ଧୂଳି ମିଶ୍ରିତ ମାଟିରେ ମଧ୍ୟ ଗଛ ବଢ଼ିପାରୁଛି। କିନ୍ତୁ ଧୂଳିର ପରିମାଣ ଅଧିକ ହେଲେ ଗଛଗୁଡିକ ମରିବାକୁ ଲାଗିଥିଲେ। ଯେଉଁ ମଞ୍ଜିରେ ଫଙ୍ଗସ ଲଗାଯାଇଥିଲା, ସେଗୁଡିକ ଅଧିକ ସମୟ ପର୍ଯ୍ୟନ୍ତ ଜୀବନ୍ତ ରହିଥିଲେ। ଏଥିରୁ ସ୍ପଷ୍ଟ ହୋଇଛି ଯେ ଗଛର ସ୍ୱାସ୍ଥ୍ୟ ପାଇଁ ଫଙ୍ଗସ ଅତ୍ୟନ୍ତ ଜରୁରୀ। ବର୍ତ୍ତମାନ ବୈଜ୍ଞାନିକମାନେ ଏହା ପରୀକ୍ଷା କରୁଛନ୍ତି ଯେ ଚନ୍ଦ୍ର ମାଟିରେ ଉତ୍ପାଦିତ ଚଣା ଖାଇବା ପାଇଁ ନିରାପଦ କି ନୁହେଁ।