କଣାସ: କଣାସ ଗୋଲରା ଗାଁରେ ମୁଖା ପିନ୍ଧା ଲୁଟେରା ଆତଙ୍କ। ଆଖି ପିଛୁଳାକେ ଘରେ ବୁଲାଇଦେଉଛନ୍ତି କଳାକନା। କେବଳ ଜଣେ ନୁହେଁ ୩ ଜଣ ଲୁଟେରା କରିଚାଲିଛନ୍ତି ଲୁଟ୍।ଯାହାଫଳରେ ଭୟଭୀତ ହୋଇ ରହୁଛନ୍ତି ଗ୍ରାମବାସୀ। ତେବେ ପୁଣି ସେହିପରି ସେହି ୩ଜଣ ମୁଖା ପିନ୍ଧା ଲୁଟେରା ଲୁଟ୍ କରିବା ସହିତ ଘରେ ପଶି ଜଣେ ମହିଳାଙ୍କୁ ଅତର୍କିତ ଆକ୍ରମଣ କରିଛନ୍ତି। ଯେଉଁ କାରଣରୁ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ କଣାସ ଗୋଲରା ଗାଁର ଜଣେ ମହିଳାଙ୍କ ଘରେ ଏହି ୩ ଲୁଟେରା ପଶିଥିଲେ। ଘରୁ ଲୁଟିନେଇଥିଲେ ୩ ଲକ୍ଷ ଟଙ୍କା ଓ ସୁନା ଗହଣା । ଏହା ସହ ମହିଳାଙ୍କ ହାତକୁ ହାଣିବା ସହ ୮ ବର୍ଷ ପୁଅକୁ ହତ୍ୟା ଧମକ ମଧ୍ୟ ଦେଇଥିଲେ। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ମହିଳାଙ୍କ ହାତରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଇଛି। ଏହାସହିତ ଉକ୍ତ ମହିଳାଙ୍କ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି।