ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି କି, ଇରାନ ଆମେରିକାକୁ ଧମକ ଦେଇଛି ଯେ ଯଦି ସେ ‘ଖାର୍ଗ ଆଇଲ୍ୟାଣ୍ଡ’ ଉପରେ ପୁଣି ଥରେ ଆକ୍ରମଣ କରେ, ତେବେ ଇରାନ ‘ବାବ ଅଲ-ମଣ୍ଡେବ୍’ ପ୍ରଣାଳୀକୁ ବ୍ଲକ୍ କରିଦେଇପାରେ। ବାବ ଅଲ-ମଣ୍ଡେବ୍ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ମାର୍ଗ ମଧ୍ୟରୁ ଅନ୍ୟତମ। ଏବେ ପ୍ରଶ୍ନ ଉଠୁଛି କି ଯଦି ଏହି ପଥ ବନ୍ଦ ହୁଏ, ତେବେ କ’ଣ ହେବ? ଏହାର କୌଣସି ବିକଳ୍ପ ଅଛି କି? ଏବଂ ଏହି ରୁଟ୍ ଦେଇ କେତେ ପରିମାଣର ତେଲ ଯାତାୟାତ କରେ?
ଆମେରିକା ଏବଂ ଇରାନ ଯୁଦ୍ଧରେ ଏକ ନୂଆ ମୋଡ଼ ଆସୁଥିବା ଦେଖାଯାଉଛି। ରିପୋର୍ଟ ଅନୁଯାୟୀ, ତେହେରାନ ଆମେରିକାର ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ନିଜର ଦାବି ଉପସ୍ଥାପନ କରିଛି। ଚର୍ଚ୍ଚା ହେଉଛି କି ଆମେରିକା ଏବେ ଇରାନ ଉପରେ ସ୍ଥଳସେନା ଦ୍ୱାରା ଆକ୍ରମଣ କରିବାକୁ ପ୍ରସ୍ତୁତି କରୁଛି, ତେଣୁ ଇରାନ ସିଧାସଳଖ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ବନ୍ଦ କରିବାକୁ ଟ୍ରମ୍ପଙ୍କୁ ଚେତାବନୀ ଦେଇଛି।
କ’ଣ ଏହି ‘ବାବ ଅଲ-ମଣ୍ଡେବ୍’ ଷ୍ଟ୍ରେଟ୍?
ଯେପରି ‘ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍’ ଦେଇ ବିଶ୍ୱକୁ ତେଲ ଓ ଗ୍ୟାସ୍ ପହଞ୍ଚିଥାଏ, ସେହିପରି ‘ବାବ ଅଲ-ମଣ୍ଡେବ୍’ ମଧ୍ୟ ଏକ ବିଶେଷ ଟ୍ରେଡ୍ ରୁଟ୍। ଏହାକୁ ‘ଆଶ୍ରୁର ଦ୍ୱାର’ (Gate of Tears) ମଧ୍ୟ କୁହାଯାଏ। ଏହା ଲାଲ ସାଗରକୁ ଆଡେନ ଗଲ୍ଫ ଏବଂ ଆରବ ସାଗର ସହ ଯୋଡ଼ିଥାଏ। ଏହା ୟେମେନ ଏବଂ ଆଫ୍ରିକାର ଜିବୁଟି ଓ ଇରିଟ୍ରିଆ ଦେଶ ମଧ୍ୟରେ ଅବସ୍ଥିତ। ଏହି ପଥ ୟୁରୋପ, ଆଫ୍ରିକା ଏବଂ ପଶ୍ଚିମ ଏସିଆକୁ ସଂଯୋଗ କରିଥାଏ।
ଏହି ପଥ ଦେଇ କେତେ ତେଲ ଯାଏ?
ସାମୁଦ୍ରିକ ପଥ ଦେଇ ଯାଉଥିବା ସମୁଦାୟ ତେଲ ଏବଂ ତରଳ ପ୍ରାକୃତିକ ଗ୍ୟାସ୍ (LNG) ର ପ୍ରାୟ ୧୨ ପ୍ରତିଶତ ଅଂଶ ଏହି ରୁଟ୍ ଦେଇ ଯାଇଥାଏ। ଆମେରିକା ଶକ୍ତି ବିଭାଗ ଅନୁଯାୟୀ, ୨୦୨୩ ମସିହାରେ ଏହି ପଥ ଦେଇ ଦୈନିକ ପ୍ରାୟ ୮.୮ ମିଲିୟନ ବ୍ୟାରେଲ୍ ତେଲ ପରିବହନ କରାଯାଇଥିଲା। ସୁଏଜ୍ କେନାଲ୍ ଆଡ଼କୁ ଯାଉଥିବା ଜାହାଜଗୁଡ଼ିକ ପାଇଁ ଏହା ଏକ ଅପରିହାର୍ଯ୍ୟ ମାର୍ଗ।
ରାସ୍ତା ବନ୍ଦ ହେଲେ କ’ଣ ହେବ?
ଯଦି ବାବ ଅଲ-ମଣ୍ଡେବ୍ ବନ୍ଦ ହୁଏ, ତେବେ ଜାହାଜଗୁଡ଼ିକୁ ଦକ୍ଷିଣ ଆଫ୍ରିକାର ‘କେପ୍ ଅଫ୍ ଗୁଡ୍ ହୋପ୍’ ଦେଇ ବହୁତ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ପଡ଼ିବ। ଫଳରେ:
• ୨୦-୨୫ ଦିନର ଯାତ୍ରା ୩୦-୪୦ ଦିନ ପର୍ଯ୍ୟନ୍ତ ବୃଦ୍ଧି ପାଇବ।
• ପରିବହନ ଖର୍ଚ୍ଚ ବଢ଼ିବ, ଯାହାଫଳରେ ସାମଗ୍ରୀର ଦାମ୍ ମହଙ୍ଗା ହେବ।
• ବିଶ୍ୱ ବଜାରରେ ତେଲ ଦର ଆକାଶଛୁଆଁ ହୋଇଯିବ।
ହୁତି ବିଦ୍ରୋହୀ ଓ ଇରାନର ମେଣ୍ଟ
ୟେମେନର ହୁତି ବିଦ୍ରୋହୀମାନଙ୍କୁ ଇରାନର ସହଯୋଗୀ ବୋଲି ଧରାଯାଏ। ଯଦି ହୁତିମାନେ ଇରାନ ସହ ସମ୍ପୂର୍ଣ୍ଣ ସାମରିକ ମେଣ୍ଟ କରି ଏହି ପଥ ବନ୍ଦ କରନ୍ତି, ତେବେ ଲାଲ ସାଗର ଏକ ନିଷିଦ୍ଧ ଅଞ୍ଚଳରେ ପରିଣତ ହେବ। ପ୍ରତିବର୍ଷ ଏହି ରୁଟ୍ ଦେଇ ପ୍ରାୟ ୧ ଟ୍ରିଲିୟନ ଡଲାର (୯୩.୯୫ ଲକ୍ଷ କୋଟି ଟଙ୍କା) ର ସାମଗ୍ରୀ କାରବାର ହୋଇଥାଏ। ଏହା ବାଧାପ୍ରାପ୍ତ ହେଲେ ବିଶ୍ୱ ଅର୍ଥନୀତି ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି ହେବ।
ବିଶେଷଜ୍ଞଙ୍କ ମତରେ, ଏହା ଇରାନର ଏକ ‘ତିନି-ସ୍ତରୀୟ ରଣନୀତି’। ପ୍ରଥମେ ହୋର୍ମୁଜକୁ ପ୍ରଭାବିତ କରିବା, ଦ୍ୱିତୀୟରେ ଲେବାନନ୍ ମାଧ୍ୟମରେ ଇସ୍ରାଏଲର ଧ୍ୟାନ ହଟାଇବା ଏବଂ ଶେଷରେ ହୁତିଙ୍କ ଜରିଆରେ ବାବ ଅଲ-ମଣ୍ଡେବ୍ ବନ୍ଦ କରି ଆମେରିକା ତଥା ବିଶ୍ୱକୁ ଚାପରେ ରଖିବା। ଏବେ ଦେଖିବାକୁ ବାକି ରହିଲା ଇରାନର ଆଗାମୀ ପଦକ୍ଷେପ କ’ଣ ହେବ।