ନୂଆଦିଲ୍ଲୀ: ଇରାନ ସଙ୍କଟ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ ସନ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ମିଶି ସେ ଯେ କୌଣସି ସମସ୍ୟାର ସମାଧାନ କରି ପାରିବେ । ଟ୍ରମ୍ପ ଏହା ସ୍ପଷ୍ଟ କରି ନାହାନ୍ତି ଯେ, ସେ ଏହି ଟିପ୍ପଣୀ କେଉଁ ସଂଦର୍ଭରେ ଦେଇଛନ୍ତି । କିନ୍ତୁ ସମୀକ୍ଷକଙ୍କ କହିବା କଥା ଇରାନ ଯୁଦ୍ଧ କାରଣରୁ ସମଗ୍ର ଦୁନିଆରେ ଉର୍ଜା ସଙ୍କଟ ଓ ଏହାର ମୁକାବିଲାକୁ ନେଇ ସେ ଏହି ମନ୍ତବ୍ୟ ଦେଇଛନ୍ତି ।
ଭାରତରେ ଆମେରିକା ଦୂତାବାସ ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କ ସନ୍ଦେଶ ଉଲ୍ଲେଖ କରି କହିଛନ୍ତି, ଭାରତ ସହିତ ଆମର ପୁରୁଣା ସମ୍ବନ୍ଧ ଆହୁରି ପ୍ରଗାଢ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଁ ଏମିତି ଦୁଇ ବ୍ୟକ୍ତି ଯିଏ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ । ଏଥିରୁ ଅଧିକ କିଛି କହିବାର ଆବଶ୍ୟକତା ନାହିଁ । ଉଲ୍ଲେଖନୀୟ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଡୋନାଲ୍ଡ ଟ୍ରମ୍ପ ଫୋନରେ କଥା ହୋଇଥିଲେ ।
ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପିଏମ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଫୋନ ଜରିଆରେ କଥା ହୋଇଛୁ । ଏହି ସମୟରେ ଦୁଇ ନେତା ମଧ୍ୟରେ ପଶ୍ଚିମ ଏସିଆକୁ ନେଇ ସକରାତ୍ମକ ଆଲୋଚନା ହୋଇଛି । ଭାରତ ଯଥା ଶୀଘ୍ର ଶାନ୍ତି ସ୍ଥାପନ ଓ ଯୁଦ୍ଧ ବନ୍ଦ କରିବା ପକ୍ଷରେ ରହିଛି । ଏହା ଦୁନିଆ ମଧ୍ୟ ବହୁତ ଜରୁରୀ । ବିଶ୍ୱରେ ଶାନ୍ତି ଓ ସ୍ଥିରତା ପାଇଁ ଆମେ ଦୁହେଁ ଯୋଗାଯୋଗରେ ରହିବୁ ବୋଲି ମୋଦୀ କହିଥିଲେ ।
ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ଦେଇଥିବା ସମୟସୀମା ଏପ୍ରିଲ ୬ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ରାଷ୍ଟ୍ରପତି ଗୁରୁବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଏହାର ସୂଚନା ଦେଇଛନ୍ତି । ଏହା ସହିତ ଇରାନର ଶକ୍ତି କେନ୍ଦ୍ର ଉପରେ ହମଲା ବନ୍ଦ ରହିବ ବୋଲି ଟ୍ରମ୍ପ କହିଥିଲେ ।
Also Read: ଦେଶରେ ଲାଗିବ ନାହିଁ ଲକଡାଉନ୍, ସ୍ପଷ୍ଟ କଲେ କେନ୍ଦ୍ର ସରକାର