ଭଦ୍ରକ: ପବିତ୍ର ରାମନବମୀ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଭଦ୍ରକ । ପ୍ରଭୁ ଶ୍ରୀରାମଙ୍କ ସ୍ୱାଗତ ପାଇଁ ଚାଲିଛି ପ୍ରସ୍ତୁତି । ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀରାମ ନବମୀ । କିନ୍ତୁ ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକକୁ ଆଜି ଗୋଟିଏ ଦିନ ପାଇଁ ଡ୍ରାଏ ଡେ ଘୋଷଣା କରାଯାଇଛି । ଅର୍ଥାତ ଆଜି ବ୍ଲକର କୌଣସି ମଦ କାଉଣ୍ଟରରେ ବିକ୍ରି ହୋଇପାରିବ ନାହିଁ ।
ରାମନବମୀ ପାଇଁ ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ । ବାସୁଦେବପୁରରେ ସନ୍ଧ୍ୟାରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଏଥିରେ ୧୮ଟି ମେଢ଼ ସାମିଲ ହେବ । ଏହି ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ନିଶା ବ୍ୟବସାୟ ଉପରେ ବ୍ଲକ୍ ପ୍ରଶାସନ କଟକଣା ଜାରି କରିଛି । ଆଜି ଗୋଟିଏ ଦିନ ପାଇଁ ସମସ୍ତ ଦେଶୀ ବିଦେଶୀ ମଦ ଦୋକାନ, ହୋଟେଲ ଏବଂ ରେସ୍ତୋରାଁରେ ମଦ ବିକ୍ରି ବନ୍ଦ ରହିବ । ସେହିପରି ପୂର୍ବରୁ ଆମିଷ ବିକ୍ରି ପାଇଁ କଟକଣା ଲାଗୁ କରାଯାଇଛି । ଏହା ସହିତ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରାୟ 5 ପ୍ଲାର୍ଟୁନ ପୋଲସ ଫୋର୍ସ ମୁତୟନ କରାଯାଇଛି । ଏହି ନିଷ୍ପତ୍ତିକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଛି ।
ସେପଟେ ଭଦ୍ରକ ସହରରେ ମଧ୍ୟର ବୁଧବାରରୁ ଶୁକ୍ରବାର ମଧ୍ୟରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ । ସେଥିପାଇଁ ଏହା ପୂର୍ବରୁ ପୁରୁଣା ବଜାର ଥାନା ନିକଟରୁ ଭଦ୍ରକ ସହରରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । ଏବେ ପର୍ଯ୍ୟନ୍ତ ଗୋଟିଏ କମ୍ପାନୀ ସିଆରପିଏଫ୍ ଓ ୧୭ ପ୍ଲାଟୁନ ପୋଲିସ ଫୋର୍ସ ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଛନ୍ତି । ତେବେ ଆଗକୁ ଅଧିକ କମ୍ପାନୀ ସିଆରପିଏଫ୍ ଓ ପୋଲିସ ଫୋର୍ସ ଭଦ୍ରକରେ ମୁତୟନ ହେବେ । ଶ୍ରୀରାମ ନବମୀ କୁ ଶାନ୍ତି ଶୃଙ୍ଖଳା ର ସହ ପାଳନ ପାଇଁ ଭଦ୍ରକ ପୋଲିସ ନିବେଦନ କରିଛି ।
ଉଲ୍ଲେଖ ଯୋଗ୍ୟ, ଗତକାଲି ରାମନବମୀ ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଡାକିଥିଲେ । ଏହି ପର୍ବ ପାଳନ ସମୟରେ ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି । ଆଧ୍ୟାତ୍ମିକତାର ଏହି ପର୍ବରେ ଓଡ଼ିଶାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯେପରି ବିନା କୌଣସି ଦ୍ୱିଧାରେ ସମ୍ପୂର୍ଣ୍ଣ ଭାବେ ଶାନ୍ତିର ସହ ପାଳନ କରିବେ ତାହା ସୁନିଶ୍ଚିତ କରିବା ପୋଲିସ ପ୍ରଶାସନର ଦାୟିତ୍ୱ । ତେଣୁ, ଏହି ସମୟରେ ସମସ୍ତେ ଯେପରି ସୁରୁଖୁରୁରେ ପର୍ବ ପାଳନ କରିବେ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।