ପୁରୀ: ଖୋଲିବ ରତ୍ନଭଣ୍ଡାର, ଚିହ୍ନଟ ହେବ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନ । ୪୮ ବର୍ଷ ପରେ ହେବ ରତ୍ନଭଣ୍ଡାର ଗଣତି । ମାହେନ୍ଦ୍ର ବେଳାରେ ଖୋଲିବ ସିନ୍ଦୁକ । ଆଜି ମହାପ୍ରଭୁଙ୍କ ଅମୂଲ୍ୟ ରତ୍ନଭଣ୍ଡାର ସବୁ ଅଳଙ୍କାରର ହେବ ଗଣତିମଣତି । ଆଜି ଚୈତ୍ର ଶୁକ୍ଳ ସପ୍ତମୀ ତିଥି ଅବସରରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ହେବ । ୧୯୭୮ ମସିହା ପରେ ପୁଣିଥରେ ଜଳଜଳ ହୋଇ ଦିଶିବ କାଳିଆ ସାଆନ୍ତଙ୍କ ସୁନା-ରୁପା ଅଳଙ୍କାର । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଏହି ଶୁଭ କାର୍ଯ୍ୟ ପାଇଁ ମଧ୍ୟାହ୍ନ ୧୨ଟା ୦୯ରୁ ଅପରାହ୍ନ ୧ଟା ୪୫ ପର୍ଯ୍ୟନ୍ତ ମାହେନ୍ଦ୍ର ବେଳା ଧାର୍ଯ୍ୟ କରାଯାଇଛି ।
କଡ଼ା ସୁରକ୍ଷା ବଳୟ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛତା ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୩ଡି ମ୍ୟାପିଂ, ଭିଡିଓଗ୍ରାଫି ଓ ଫଟୋଗ୍ରାଫିର ମଧ୍ୟ ସହାୟତା ନିଆଯିବ। ଗଣତି ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରଥମଟି ହେଉଛି ସୁପରଭାଇଜିଂ ଟିମ୍ ଏବଂ ଦ୍ୱିତୀୟଟି ହ୍ୟାଣ୍ଡେଲିଂ ଟିମ୍। ଏହି ଟିମ୍ରେ ରହିବେ ଶ୍ରୀମନ୍ଦିର ପ୍ରଶାସକଙ୍କ ସମେତ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉକରଣ, ଦେଉଳକରଣ, ସ୍ୱର୍ଣ୍ଣକାର ଓ ରତ୍ନବିଜ୍ଞାନୀ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ମଧ୍ୟ ରହିବେ ଉପସ୍ଥିତ । ତେବେ ପାରମ୍ପରିକ ବସ୍ତ୍ର ପରିଧାନ କରି ଭଣ୍ଡାର ଘରେ ପ୍ରବେଶ କରିବେ ସମସ୍ତ ସଦସ୍ୟ । ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଓ ପରେ ଭିତର ଭଣ୍ଡାରର ଅଳଙ୍କାର ଗଣାଯିବ । ସୁନା, ରୁପା, ହୀରା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଗହଣାକୁ ଅଲଗା ଶ୍ରେଣୀଭୁକ୍ତ କରାଯିବ ।
ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ହେବ ପ୍ରତ୍ୟେକ ଅଳଙ୍କାରର ଓଜନ । ଅଭିଜ୍ଞ ସ୍ୱର୍ଣ୍ଣକାର ସୁନାର ଶୁଦ୍ଧତା ଓ ମୂଲ୍ୟବାନ ପଥରର ଗୁଣବତ୍ତା ଯାଞ୍ଚ କରିବେ । ୧୯୭୮ ମସିହାରେ ହୋଇଥିବା ପୂର୍ଣ୍ଣାଙ୍ଗ ତାଲିକା ଅନୁଯାୟୀ ମେଳକ ହେବ । ଗହଣାର ହାଇ-ରିଜୋଲ୍ୟୁସନ ଫଟୋ ଓ ଭିଡିଓ ଉଠାଯାଇ ପ୍ରସ୍ତୁତ କରାଯିବ ଡିଜିଟାଲ ଡାଟାବେସ୍ । ମହାପ୍ରଭୁଙ୍କ ଗହଣାକୁ ସଂରକ୍ଷିତ ରଖିବାକୁ ବ୍ୟବହାର ହେବ ୩ ପ୍ରକାରର ରଙ୍ଗର କପଡ଼ା । ହଳଦିଆ ଭେଲଭେଟ୍ କପଡ଼ାରେ ରଖାଯିବ ସୁନା ଅଳଙ୍କାର । ସିଲଭର ରଙ୍ଗର କପଡ଼ାରେ ରହିବ ରୌପ୍ୟ ଅଳଙ୍କାର । ଲାଲ ରଙ୍ଗର ଭେଲଭେଟ୍ କନାରେ ରଖାଯିବ ଅନ୍ୟାନ୍ୟ ଅଳଙ୍କାର । ଗହଣା ସବୁକୁ ସିନ୍ଦୁକରେ ରଖି ସରକାରୀ ମୋହର ମରାଯାଇ ସୁରକ୍ଷିତ ରଖାଯିବ ।