ଭୁବନେଶ୍ୱର: ପରୀକ୍ଷା ଶେଷ… ଏବେ ଫଳାଫଳର ଅପେକ୍ଷା! ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଆସନ୍ତା ଏପ୍ରିଲ ୨ ତାରିଖରୁ ଯୁକ୍ତ ୨ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ପ୍ରାୟ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଭର କରୁଥିବା ଏହି ବଡ଼ ପ୍ରକ୍ରିୟାକୁ ନେଇ ଏବେ ପରୀକ୍ଷାର୍ଥୀ ଅପେକ୍ଷା କରିଛନ୍ତି।
କେତେ ଖାତାର ହେବ ମୂଲ୍ୟାୟନ?
ଏହି ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମକୁ ମିଶାଇ ପ୍ରାୟ ୨୫ ଲକ୍ଷ ଖାତା ଦେଖାଯିବ। ୩୦ଟି ଜିଲ୍ଲାରେ ୧୫୧ଟି ମୂଲ୍ୟାୟନ କେନ୍ଦ୍ର ଖୋଲାଯିବା ସହିତ, ଏହା ଦୁଇ ପର୍ଯ୍ୟାୟରେ ସମ୍ପନ୍ନ ହେବ।
ଡିଜିଟାଲ୍ + ପାରମ୍ପରିକ: ଦୁଇ ପଦ୍ଧତିର ମିଶ୍ରଣ
ଆଧୁନିକ ପ୍ରଯୁକ୍ତି ସହ ଏହି ବର୍ଷ ମୂଲ୍ୟାୟନ ପ୍ରକ୍ରିୟା ଆଉ ଦ୍ରୁତ ହେବ। ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ଇ-ମୂଲ୍ୟାୟନ ହେବା ସହିତ ୭୫ଟି କେନ୍ଦ୍ର ଡିଜିଟାଲ୍ ମୋଡ୍ରେ କାମ କରିବ। ଅନ୍ୟପଟେ, ୭୬ଟି କେନ୍ଦ୍ରରେ ପାରମ୍ପରିକ ଭାବରେ ଖାତା ଦେଖାଯିବ। କଳା ବିଭାଗରେ କେବଳ ଇଂରାଜୀ ବିଷୟର ଇ-ମୂଲ୍ୟାୟନ ହେବ।
କେବେ ଆସିବ ରେଜଲ୍ଟ?
ସବୁ ଠିକ୍ ଥିଲେ, ମେ’ ମାସର ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇପାରେ।
ପରୀକ୍ଷା ଶେଷ, ଏବେ ଅପେକ୍ଷାର ପଳ!
ବିଜ୍ଞାନ ପରୀକ୍ଷା ୨୩ରେ ସମାପ୍ତ ହୋଇଥିବା ବେଳେ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ୨୫ରେ ଶେଷ ହେବ। କଳା ବିଭାଗର ଶେଷ ପରୀକ୍ଷା ୨୮ରେ ହେବାକୁ ଥିବାରୁ, ଛାତ୍ରଛାତ୍ରୀମାନେ ଏବେ ଫଳାଫଳ ନେଇ ଅପେକ୍ଷାରେ।