ଆହ୍ଲାବାଦ: ଆହ୍ଲାବାଦ ହାଇକୋର୍ଟ ଲିଭ ଇନ ରିଲେସନଶିପକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ହାଇକୋର୍ଟ କହିଛନ୍ତି, ଜଣେ ବିବାହିତ ପୁରୁଷଙ୍କ ଲିଭ ଇନ ରିଲେସନଶିପରେ ରହିବା କୌଣସି ଅପରାଧ ନୁହେଁ । କୋର୍ଟ କହିଛନ୍ତି, ସାମାଜିକ ନୈତିକତା ନାଗରିକଙ୍କ ଅଧିକାରର ରକ୍ଷା କରିବା କୋର୍ଟଙ୍କ କର୍ତ୍ତବ୍ୟ । ଯାଚିକା ଦାଖଲ କରି ଲିଭ ଇନରେ ରହୁଥିବା ଜଣେ ବିବାହିତ ଦମ୍ପତି କୋର୍ଟଙ୍କଠୁ ସୁରକ୍ଷା ଦାବି କରିଥିଲେ । ଜଷ୍ଟିସ ଜେଜେ ମୁନୀର ଓ ଜଷ୍ଟିସ ତୁରଣ ସକ୍ସେନାଙ୍କ ପୀଠ ଉପରୋକ୍ତ ରାୟ ଶୁଣାଇଛନ୍ତି ।
ଯାଚିକାରେ କୁହାଯାଇଛି ଯେ, ଦମ୍ପତିଙ୍କଠୁ ମହିଳାଙ୍କ ପରିବାର ତରଫରୁ ଧମକ ମିଳୁଥିଲା । ମହିଳାଙ୍କ ପରିବାରର ଓକିଲ ଯୁକ୍ତି ବାଢିଛନ୍ତି ବ୍ୟକ୍ତି ଜଣକ ପୂର୍ବରୁ ବିବାହିତ । ଏଥିପାଇଁ ଅନ୍ୟ ମହିଳା ସହ ରହିବା ଏକ ଅପରାଧ । କିନ୍ତୁ କୋର୍ଟ କହିଛନ୍ତି ଯେ, ଆଇନ ଏବଂ ସାମାଜିକ ନୈତିକତା ଦୁଇଟି ଭିନ୍ନ ଭିନ୍ନ ଦିଗ । ସାମାଜିକ ନୈତିକତାରେ ଆଇନ ଚାଲେ ନାହିଁ ।
କୋର୍ଟ କହିଛନ୍ତି, ଜଣେ ବିବାହିତ ପୁରୁଷ କୌଣସି ସାବାଳିକା ସହ ପରସ୍ପର ସହମତିରେ ଲିଭ ଇନ ରିଲେସନଶିପରେ ରହିବାରେ କୌଣସି ଅପରାଧ ନାହିଁ । ତେଣୁ ନାଗରିକଙ୍କ ଅଧିକାର ରକ୍ଷା ପାଇଁ କୋର୍ଟ କାର୍ଯ୍ୟାନୁଷ୍ଠାନକୁ ସାମାଜିକ ରାୟ ଓ ନୈତିକତା ନଜରରେ ଦେଖିବା ଉଚିତ୍ ନୁହେଁ । କାରଣ ନାଗରିକଙ୍କ ଅଧିକାରର ରକ୍ଷା କରିବା କୋର୍ଟଙ୍କ କାମ ।
ହାଇକୋର୍ଟ କହିଛନ୍ତି, ମହିଳା ଏସଏସପି ଶାହଜାନପୁରକୁ ପ୍ରଥମରୁ ଦରଖାସ୍ତ ଦେଇ ସାରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ସେ ଜଣେ ସାବାଳିକା ଏବଂ ନିଜ ଇଚ୍ଛାରେ ଉକ୍ତ ବ୍ୟକ୍ତିଙ୍କ ସହ ଲିଭ ଇନ ରିଲେସଶିପରେ ରହୁଛନ୍ତି । ଅଦାଲତ ଏହା ମଧ୍ୟ କହିଛନ୍ତି, ଯୁବତୀଙ୍କ ମାତା-ପିତା ଓ ପରିବାରର ଅନ୍ୟ ସଦସ୍ୟ ଏହି ସଂପର୍କ ବିରୋଧରେ ଅଛନ୍ତି । ଯୁବତୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ଉଭୟଙ୍କୁ ଅନର କିଲିଂର ଭୟ ମଧ୍ୟ ରହିଛି ।
କୋର୍ଟ କହିଛନ୍ତି, ଏସଏସପି ଯୁବତୀଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଏକାଠି ରହୁଥିବା ଦୁଇ ସାବାଳକଙ୍କ ସୁରକ୍ଷା କରିବା ପୋଲିସର କର୍ତ୍ତବ୍ୟ । ଏହି ସମ୍ବନ୍ଧରେ ପୋଲିସ ଏସପିଙ୍କ ସ୍ୱତନ୍ତ୍ର ଦାୟିତ୍ୱ ରହିଛି । ଏହା ସହିତ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । କୋର୍ଟ ଏହି ଦମ୍ପତିକୁ ଅପରାହଣ ମାମଲାରେ ମଧ୍ୟ ସୁରକ୍ଷା ପ୍ରଦାନ କରିଛନ୍ତି । କାରଣ ଯୁବତୀଙ୍କ ପରିବାର ଲୋକ ବ୍ୟକ୍ତିଙ୍କ ଉପରେ ଅପହରଣର ଅଭିଯୋଗ କରିଥିଲେ । ଏହା ସହିତ ବ୍ୟକ୍ତିଙ୍କ ଗିରଫଦାରୀ ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି, ଏସଏସପି ଶାହଜହାନପୁର ଦମ୍ପତିଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ।