ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୪୦ ହଜାର କୋଟି ଆର୍ଥିକ ହେରଫେର ମାମଲାରେ ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ୍ (RCom)ର ପୂର୍ବତନ ନିର୍ଦ୍ଦେଶକ ପୁନିତ ଗର୍ଗଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଶୁକ୍ରବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଦାଖଲ ଇଡି ଚାର୍ଜସିଟ୍ କରିଛି । ସ୍ୱତନ୍ତ୍ର ବିଚାରପତି ଅଜୟ ଗୁପ୍ତାଙ୍କ ବେଞ୍ଚ ମାମଲାର ଶୁଣାଣି କରିବେ ।
ସିବିଆଇ ଦ୍ୱାରା ଦାୟର କରାଯାଇଥିବା ଏକ ଏତଲା ଆଧାରରେ ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ୍ ରିପୋର୍ଟ ପଞ୍ଜିକରଣ କରିବା ପରେ ଇଡି ପୁନିତ ଗର୍ଗଙ୍କୁ ଗିରଫ କରିଥିଲା। ତଦନ୍ତର ପ୍ରାରମ୍ଭିକ ପର୍ଯ୍ୟାୟରେ ଇଡି ତାଙ୍କୁ ଗର୍ଗଙ୍କୁ ଅବଶିଷ୍ଟ 'ଅପରାଧ ଆୟ' ଠାବ କରିବା, ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଏବଂ ମନି ଲଣ୍ଡରିଂ ଟ୍ରେଲ୍ ବାବଦରେ ଅଧିକ ଖୋଳତାଡ଼ ପାଇଁ 9 ଦିନିଆ ରିମାଣ୍ଡରେ ନେଇଥିଲା।
ଇଡି ଅନୁଯାୟୀ, ଆରକମ୍ ଏବଂ ଏହାର ସାଥୀ କମ୍ପାନୀଗୁଡ଼ିକ ସହିତ ଜଡିତ ୪୦,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଠକେଇ ମାମଲାରେ ବର୍ତ୍ତମାନ ତଦନ୍ତ ଚାଲିଛି। ଏହି ଠକେଇ କାର୍ଯ୍ୟକଳାପରୁ ପ୍ରାପ୍ତ ପାଣ୍ଠି ବିଭିନ୍ନ ବିଦେଶୀ ସହାୟକ ଏବଂ ଅଫଶୋର ସଂସ୍ଥା ମାଧ୍ୟମରେ ପଠାଯାଇଥିଲା। ଏହା ମଧ୍ୟ ଜଣାପଡ଼ିଛି ଯେ ଏହି ପାଣ୍ଠିଗୁଡ଼ିକ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ବ୍ୟବହୃତ ହୋଇଥିଲା । ଏହି ଟଙ୍କାରେ ଆମେରିକାର ନ୍ୟୁୟର୍କର ମ୍ୟାନହଟ୍ଟନରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣା ଯାଇଛି । ଆର୍ କମ୍ ର କର୍ପୋରେଟ୍ ଇନସଲଭେନ୍ସି ରିଜୋଲ୍ୟୁସନ୍ ପ୍ରୋସେସ୍ (CIRP) ସମୟରେ, ଏହି ସମ୍ପତ୍ତିକୁ ବେଆଇନ ପ୍ରକ୍ରିୟାରେ ବିକ୍ରି କରାଯାଇଥିଲା ଏବଂ ବିକ୍ରୟରୁ ମିଳିଥିବା ଅର୍ଥକୁ ମିଥ୍ୟା ନିବେଶ ମାଧ୍ୟମରେ ବିଦେଶକୁ ସ୍ଥାନାନ୍ତର କରାଯାଇଥିଲା।
ବ୍ୟାଙ୍କ ଠକେଇ ଏବଂ ମନି ଲଣ୍ଡରିଂ ମାମଲା ସହିତ ଜଡିତ ପୁନୀତ ଗର୍ଗ ମନି ଲଣ୍ଡରିଂ ନିବାରଣ ଆଇନ (PMLA), 2002 ଅଧୀନରେ ଗିରଫ ହୋଇଥିଲେ । ଗତବର୍ଷ ଅଗଷ୍ଟ ୨୧ରେ ସିବିଆଇ ଦ୍ୱାରା ପଞ୍ଜିକୃତ ଏକ ଏତଲା ଆଧାରରେ ଆରମ୍ଭ ହୋଇଥିବା ତଦନ୍ତର ଏକ ଅଂଶ ଭାବରେ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଥିଲା । ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୦-ଖ, ୪୦୬, ୪୨୦ ଏବଂ ଦୁର୍ନୀତି ନିବାରଣ ଆଇନ, ୧୯୮୯ ର ଧାରା ୧୩(୨) ଏବଂ ୧୩(୧)(ଘ)କୁ ଲାଗୁ କରାଯାଇଛି ।