ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ପରିବାର ସହ ଜଡ଼ିତ ସଂସ୍ଥାଗୁଡ଼ିକୁ ବିକାଶମୂଳକ କାର୍ଯ୍ୟର ଠିକା ଦିଆଯିବା ମାମଲାରେ ସୁପ୍ରିମକୋର୍ଟ CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। CBI କୁ ୨୦୧୫ ରୁ ୨୦୨୫ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ପ୍ରାଥମିକ ତଦନ୍ତ କରିବାକୁ ହେବ ଏବଂ ୧୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ପଡ଼ିବ।
ସୁପ୍ରିମକୋର୍ଟ CBI କୁ ଏକ ପ୍ରାଥମିକ ତଦନ୍ତ (Preliminary Inquiry) ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଏଥିରେ ୨୦୧୫ ରୁ ୨୦୨୫ ପର୍ଯ୍ୟନ୍ତ ନିଆଯାଇଥିବା ନିଷ୍ପତ୍ତି ଏବଂ କାର୍ଯ୍ୟାନ୍ୱୟନକୁ ସାମିଲ କରାଯିବ। ପ୍ରତିବାଦୀ ୪ ରୁ ୬ (respondents 4 to 6) ଙ୍କୁ ଦିଆଯାଇଥିବା ଠିକା ଗୁଡ଼ିକର CBI ଯାଞ୍ଚ କରିବ। ତେବେ ନିର୍ଦ୍ଧାରିତ ସମୟ ସୀମା ବାହାରେ ଥିବା ନିଷ୍ପତ୍ତିଗୁଡ଼ିକର ଯାଞ୍ଚ କରିବା ଉପରେ କୌଣସି ରୋକ୍ ନାହିଁ।
ରାଜ୍ୟ ସରକାର ଏକ ସପ୍ତାହ ମଧ୍ୟରେ ଏହି ଆଦେଶ ପାଳନ କରିବେ। ମୁଖ୍ୟ ଶାସନ ସଚିବ CBI ପାଇଁ ଜଣେ ନୋଡାଲ ଅଫିସର ନିଯୁକ୍ତ କରିବେ ଏବଂ CBI କୁ ଠିକ୍ ସମୟରେ ରେକର୍ଡ ଯୋଗାଇ ଦେବା ନିଶ୍ଚିତ କରିବେ। ଏକ ସ୍ୱତନ୍ତ୍ର ତଦନ୍ତର ଆବଶ୍ୟକତା ଅଛି କି ନାହିଁ, ସେ ନେଇ CBI ୧୬ ସପ୍ତାହ ମଧ୍ୟରେ ସ୍ଥିତି ରିପୋର୍ଟ ପ୍ରଦାନ କରିବ। ଜଷ୍ଟିସ ବିକ୍ରମ ନାଥଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଆବେଦନରେ ଅଭିଯୋଗ ହୋଇଛି ଯେ, ଅରୁଣାଚଳ ପ୍ରଦେଶରେ ବିଭିନ୍ନ ସରକାରୀ ନିର୍ମାଣ କାର୍ଯ୍ୟର ଠିକା ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ପରିବାର ସଦସ୍ୟଙ୍କ ସହ ଜଡ଼ିତ କମ୍ପାନୀଗୁଡ଼ିକୁ ଦିଆଯାଇଛି।