ପେଟ୍ରୋଲ ଏବଂ ଡିଜେଲର ବଢୁଥିବା ଦର ସାଧାରଣ ଲୋକଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଉଛି। ପ୍ରକୃତ ମୂଲ୍ୟ କମ୍ ଥାଇ ମଧ୍ୟ ଖାଉଟିଙ୍କୁ କାହିଁକି ଏତେ ଅଧିକ ଟଙ୍କା ଦେବାକୁ ପଡ଼ୁଛି, ତାହା ଏକ ବଡ଼ ପ୍ରଶ୍ନ। ଏହାର ମୁଖ୍ୟ କାରଣ ହେଉଛି ଟିକସ ବ୍ୟବସ୍ଥା। ବର୍ତ୍ତମାନ ପେଟ୍ରୋଲ-ଡିଜେଲ ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି (Excise Duty) ଲଗାଉଥିବା ବେଳେ ରାଜ୍ୟ ସରକାରମାନେ ଭାଟ୍ (VAT) ଆଦାୟ କରୁଛନ୍ତି, ଯାହା ଫଳରେ ଦର ବହୁତ ବଢ଼ିଯାଉଛି। ତେଣୁ ଏହା GST ଅଧୀନକୁ ଆସିଲେ ବଡ଼ ଆଶ୍ୱସ୍ତି ମିଳିବ।
୧୨% GST ଲାଗୁ ହେଲେ କ’ଣ ହେବ?
ଧରାଯାଉ ପେଟ୍ରୋଲ ଏବଂ ଡିଜେଲ ଉପରେ କେବଳ ୧୨% GST ଲଗାଗଲା ଏବଂ ବାକି ସବୁ ଟିକସ ହଟାଇ ଦିଆଗଲା। ଏହି ସ୍ଥିତିରେ ପେଟ୍ରୋଲ ଉପରେ ପ୍ରାୟ ୬-୭ ଟଙ୍କା ଟିକସ ଲାଗିବ। ଡିଲର କମିଶନ ମିଶାଇବା ପରେ ପେଟ୍ରୋଲ ଦର ପ୍ରାୟ ୬୮-୭୦ ଟଙ୍କାକୁ ଖସି ଆସିପାରେ। ଅର୍ଥାତ୍ ବର୍ତ୍ତମାନର ଦର ତୁଳନାରେ ପ୍ରାୟ ୨୦ ଟଙ୍କା ଶସ୍ତା ହେବ। ସେହିପରି ୧୨% GST ରେ ଡିଜେଲ ଦର ଲିଟର ପିଛା ୬୭-୬୮ ଟଙ୍କା ରହିପାରେ।
୨୮% GST ଲାଗିଲେ ଦାମ୍ କେତେ ରହିବ?
ଯଦି ସର୍ବାଧିକ ୨୮% GST ଲାଗୁ କରାଯାଏ, ତେବେ ପେଟ୍ରୋଲ ଉପରେ ପ୍ରାୟ ୧୫-୧୬ ଟଙ୍କା ଟିକସ ଲାଗିବ। ଏହି ହିସାବରେ ପେଟ୍ରୋଲ ଦର ପ୍ରାୟ ୭୫-୮୦ ଟଙ୍କା ହେବ। ଅନ୍ୟପଟେ ଡିଜେଲ ଦର ପ୍ରାୟ ୭୨-୭୫ ଟଙ୍କା ଆଖପାଖରେ ରହିପାରେ। ଏହା ମଧ୍ୟ ବର୍ତ୍ତମାନର ଦର ତୁଳନାରେ କମ୍, କିନ୍ତୁ ୧୨% GST ଭଳି ଏତେ ଅଧିକ ଶସ୍ତା ହେବ ନାହିଁ।
GST ଦ୍ୱାରା ତେଲ କାହିଁକି ଶସ୍ତା ହୋଇପାରେ?
GST ର ସବୁଠାରୁ ବଡ଼ ଫାଇଦା ହେଉଛି ଏଥିରେ ‘ଟିକସ ଉପରେ ଟିକସ’ ଲାଗେନାହିଁ। ବର୍ତ୍ତମାନ ପ୍ରଥମେ ଏକ୍ସାଇଜ୍ ଡ୍ୟୁଟି ଲାଗେ ଏବଂ ପରେ ସେହି ମୂଲ୍ୟ ଉପରେ ପୁଣି ଭାଟ୍ ଯୋଡ଼ାଯାଏ। କିନ୍ତୁ GST ରେ କେବଳ ଗୋଟିଏ ଟିକସ ଲାଗିବ, ଯାହା ଫଳରେ ମୋଟ ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ରାଜ୍ୟଗୁଡ଼ିକର ରାଜସ୍ୱ ହ୍ରାସ ପାଇବା ଭୟରେ ଏହାକୁ ଏପର୍ଯ୍ୟନ୍ତ GST ପରିସରଭୁକ୍ତ କରାଯାଇ ନାହିଁ।