କୋଲକାତା: ଆଜି ଆଇପିଏଲ୍ ୨୦୨୬ର ୧୨ତମ ମ୍ୟାଚରେ ମୁହାଁମୁହିଁ ହେବେ ଫର୍ମରେ ଥିବା ପଞ୍ଜାବ କିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ । ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ କେକେଆର ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଦଳ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ହାରି ସାରିଛି । ଏହି ମ୍ୟାଚ୍ ଜିିତି ଦଳ ପ୍ରତ୍ୟାବର୍ତ୍ତନ କରିବାକୁ ଯଥା ସମ୍ଭବ ଚେଷ୍ଟା କରିବ । ଅନ୍ୟପଟେ ପଞ୍ଜାବ କିଙ୍ଗସ ନିଜର ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ଦଳ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଦମଦାର ଫର୍ମରେ ରହିଛି ।
ତିନି ଥରର ଚାମ୍ପିଅନ ନିଜର ପ୍ରାରମ୍ଭିକ ମ୍ୟାଚ୍ ଗୁଡିକରେ ସଂଘର୍ଷ କରୁଛି । ଦଳର ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ, ହର୍ଷିତ ରାଣା, ଆକାଶ ଦୀପ ଓ ମଥିଶା ପଥିରାନାଙ୍କ ଅନୁପସ୍ଥିତିରେ ଦଳ ବୋଲିଂ ଆକ୍ରମଣ ଦୁର୍ବଳ ହୋଇ ପଡିଛି । ଦଳର ସବୁଠୁ ବଡ ପ୍ରସଙ୍ଗ ଦୁର୍ବଳ ରଣନୀତି । ଏହି କାରଣରୁ ଦଳ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ହାରି ସାରିଛି । ଦଳକୁ ୨୦୨୪ରେ ଟାଇଟଲ୍ ଜିତିଥିବା ଶ୍ରେୟସ ଆୟରଙ୍କୁ ରିଟେନ ନ କରିବାର ପରିଣାମ ଦଳକୁ ଭୋଗିବାକୁ ପଡୁଛି ।
ଆୟର ୨୦୨୫ରେ ନିଜର ନେତୃତ୍ୱରେ ପଞ୍ଜାବ କିଙ୍ଗସକୁ ଫାଇନାଲରେ ପହଞ୍ଚାଇଥିଲେ । ସେ ତିନୋଟି ଅଲଗା ଅଲଗା ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ(୨୦୨୦), କେକେଆର(୨୦୨୪ ଚାମ୍ପିଅନ)ଓ ୨୦୨୫ରେ ପଞ୍ଜାବ କିଙ୍ଗସକୁ ଫାଇନାଲରେ ପହଞ୍ଚାଇବାରେ ସେ ପ୍ରଥମ ଅଧିନାୟକ । ହେଲେ ତାଙ୍କର ଅନୁପସ୍ଥିତି ଏବେ ଦଳକୁ ବେଶ ଅନୁଭୂତ ହେଉଛି । ତେବେ ଦଳକୁ ଆଜିର ମ୍ୟାଚ୍ ଜିତିବାକୁ ହେଲେ ଚମତ୍କାର ପ୍ରଦର୍ଶନ କରିବାକୁ ପଡିବ । ଅନ୍ୟପଟେ ପଞ୍ଜାବ କିଙ୍ଗସର ଉଭୟ ବ୍ୟାଟିଂ ଓ ବୋଲିଂ ଦମଦାର ଫର୍ମରେ ଅଛି ।
ଇଡେନ ଗାର୍ଡେନସର ପିଚ୍ ସାଧାରଣତଃ ବ୍ୟାଟରଙ୍କୁ ସୁହାଇଥାଏ । ଦ୍ରୁତ ଆଉଟ ଫିଲ୍ଡ କାରଣରୁ ରନ କରିବା ସହଜ ହୋଇଥାଏ । ଏହି ମଇଦାନରେ ଆଜି କେକେଆରକୁ ନିଜର ବ୍ୟାଟିଂ ଓ ବୋଲିଂରେ ସୁଧାର କରିବାକୁ ପଡିବ । ଏଠାରେ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି । କାରଣ ଗତ ମ୍ୟାଚରେ ପଛେ ବ୍ୟାଟିଂ କରୁଥିବା ଦଳ ମ୍ୟାଚ୍ ଜିତି ଆସିଛି ।
Also Read: IPL 2026: ଚେନ୍ନାଇର ହ୍ୟାଟ୍ରିକ ପରାଜୟ, ଆରସିବିର ଲଗାତାର ୨ୟ ବିଜୟ