ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ କମିଶନର ଲଳିତ ମୋଦୀ ବିଶ୍ୱର ସବୁଠୁ ଲୋକପ୍ରିୟ ଏହି ଟି-୨୦ ଲିଗକୁ ନେଇ ବଡ ଦାବି କରିଛନ୍ତି । ଆଇପିଏଲର ଫାଦର କୁହାଯାଉଥିବା ଲଳିତ ମୋଦୀଙ୍କ କହିବା କଥା ବିସିସିଆଇ ନିଜର ଗୋଟିଏ ଭୁଲ୍ ପାଇଁ ଆଇପିଏଲରେ ବର୍ଷକୁ ୧୨୦୦ କୋଟିର କ୍ଷତି ସହୁଛି । ଏହା ପଛର କାରଣ ମଧ୍ୟ କହିଛନ୍ତି ଲଳିତ ମୋଦୀ । ତାଙ୍କ କହିବା କଥା ବିସିସିଆଇ ଆରମ୍ଭରେ ସ୍ଥିର କରିଥିବା ଫର୍ମାଟର ପାଳନ କରୁନି । ସେ ଚାହାନ୍ତି ବୋର୍ଡ ଏହି କ୍ଷତିର ଭରଣା ପାଇଁ ସଂପୂର୍ଣ୍ଣ ଭାବେ ହୋମ ଆଣ୍ଡ ଆୱେ ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରୁ । ସେ ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଯେ, ଆରସିବି ଓ ଆରଆର ପ୍ରାୟ ୩୧ ହଜାର କୋଟିରେ ବିକ୍ରି ହୋଇଛନ୍ତି ।
୯୦ଟି ଲିଗ୍ ମ୍ୟାଚ୍ ଆୟୋଜନ ହେବାର ଥିଲା
ଲଳିତ ମୋଦୀଙ୍କ ଅନୁଯାୟୀ, ଆରମ୍ଭରେ ପ୍ରତ୍ୟେକ ଟିମ ପରସ୍ପର ବିରୋଧରେ ୨ଟି ମ୍ୟାଚ୍ ଖେଳିବାର ଥିଲା । ୨୦୨୨ରେ ୧୦ ଟିମ୍ ବଢାଯିବା ସହ ଏହି ଢାଞ୍ଚା ହିସାବରେ ୯୦ଟି ଲିଗ୍ ମ୍ୟାଚ୍ ଆୟୋଜନ ହେବାର ଥିଲା । ଏହା ପରେ ଚାରୋଟି ନକଆଉଟ୍ ମ୍ୟାଚ୍ ରହିଛି । ହେଲେ ଆଇପିଏଲ ହୋମ ଆଣ୍ଡ ଆୱେ ସିଷ୍ଟମରେ ପରିବର୍ତ୍ତନ କରି କେବଳ ୭୪ଟି ମ୍ୟାଚ୍ ସହିତ ଲିଗ୍ ପର୍ଯ୍ୟାୟ ଜାରି ରଖିଛି । ଏଥିରେ ଦଳଗୁଡିକୁ ୭ଟି ମ୍ୟାଚ୍ ଘରୋଇ ଗ୍ରାଉଣ୍ଡ ଏବଂ ୭ଟି ମ୍ୟାଚ୍ ବାହାର ଗ୍ରାଉଣ୍ଡରେ ଖେଳିବାକୁ ମିଳୁଛି ।
ଏବେ ୨୦ ମ୍ୟାଚ୍ ମିସ୍
ସେ ଷ୍ଟାରସ୍ପୋର୍ଟ୍ସକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ପ୍ରତି ମ୍ୟାଚ୍ ପାଇଁ ବିସିସିଆଇକୁ ୫୦ ପ୍ରତିଶତ ମିଳିଥାଏ ଏବଂ ବାକି ୫୦ ପ୍ରତିଶତ ଟିମଗୁଡିକ ମଧ୍ୟରେ ବାଣ୍ଟି ଦିଆଯାଏ । ଫଳସ୍ୱରୂପ ଟିମଗୁଡିକ ଏବେ ୨୦ ମ୍ୟାଚ୍ ମିସ୍ କରୁଛନ୍ତି । ଯଦି କ୍ୟାଲେଣ୍ଡରରେ ଜାଗା ନାହିଁ ତେବେ ଟିମ୍ ସଂଖ୍ୟା ବଢାଇବା ଉଚିତ୍ ନ ଥିଲା । ସେହି ହିସାବରେ ବିସିସିଆଇ ଓ ଆଇପିଏଲ୍ ଟିମ ଗୁଡିକୁ ୨୦ଟି ମ୍ୟାଚରୁ ୨୪୦୦ କୋଟି ଟଙ୍କାର କ୍ଷତି ସହୁଛନ୍ତି ।
ସେ ସମୀକରଣ ଦେଇ ବୁଝାଇ କହିଛନ୍ତି ଯେ, ଯଦି ଆଜି ହୋମ ଆଣ୍ଡ ଆୱେ ଆଧାରରେ ୯୪ ମ୍ୟାଚ୍ ହୋଇଥାନ୍ତା ଏବଂ ପ୍ରତିଟି ମ୍ୟାଚ୍ ପାଇଁ ୧୧୮ କୋଟି ଟଙ୍କା ମିଳିଥାନ୍ତା । ଏଥିରେ କେବଳ ମିଡିଆ ରାଇଟସ ମୂଲ୍ୟ ୨୪୦୦ କୋଟି ରହିଥାନ୍ତା । ଏହା ବିସିିସିଆଇ ପାଇଁ ୨୪୦୦ କୋଟିର ଅତିରିକ୍ତ ଆୟ ହୋଇଥାନ୍ତା । ଏଥିରୁ ୧୨୦୦ କୋଟି ୧୦ଟି ଟିମକୁ ମିଳିଥାନ୍ତା ଏବଂ ପ୍ରତି ଟିମକୁ ୧୨୦ କୋଟି ।