ଭୁବନେଶ୍ୱର: ଆଜି ପୂର୍ବାଞ୍ଚଳର ତିନୋଟି ଜିଲ୍ଲାରେ ଗୋରୁ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ଉ କରାଯାଉଛି । ଡିଆଇଜି ପିନାକ ମିଶ୍ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲେଶ୍ୱର, ଭଦ୍ରକ ଏବଂ ମୟୁରଭଞ୍ଜ ଜିଲ୍ଲା ଏସପିଙ୍କ ମିଳିତ ପ୍ରୟାସରେ ୩୨ଟି ସ୍ଥାନରେ ଚଢ଼ଉ କରାଯାଇଛି। ପୂର୍ବାହ୍ନ ସାଢ଼େ ଏଗାରଟା ସୁଦ୍ଧା ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି । ଗଣତି ଜାରି ରହିଥିବାବେଳେ ଆଗକୁ ଏହି ଜବତ ଟଙ୍କାର ପରିମାଣ ବୃଦ୍ଧି ପାଇବ ବୋଲି ଡିଆଇଜି ଶ୍ରୀଯୁକ୍ତ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।
ଡିଆଇଜିଙ୍କ ସୂଚନା ମୁତାବକ, ବେଆଇନ ଗୋ-ଚାଲାଣ ଅଭିଯୋଗରେ ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜରେ ଆଜି ଏକକାଳୀନ ୩୨ଟି ସ୍ଥାନରେ ଚଢ଼ଉ କରାଯାଉଛି । ମୋଟ ୧୮ଟି ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ ୮ ଜଣ ଅତିରିକ୍ତ ଏସପି, ୧୭ ଜଣ ଡିଏସପି ରାଙ୍କର ଅଫିସର, ୨୫ ଜଣ ଇନସ୍ପେକ୍ଟର, ୬୭ ଜଣ ଏସଆଇ ଏବଂ ଏଏସ୍ଆଇ ନିୟୋଜିତ ହୋଇଛନ୍ତି । ଖବର ଲେଖା ହେବା ସୁଦ୍ଧା ଚଢ଼ଉ ବେଳେ ୫୦ରୁ ଉର୍ଦ୍ଧ୍ୱ ନଗଦ ରାଶି, ବିପୁଳ ପରିମାଣରେ ସୁନା ଓ ରୁପା ଗହଣା (ଆକଳନ ଚାଲିଛି), ବେଆଇନ ଅସ୍ତ୍ରଶସ୍ତ୍ର, ଏକାଧିକ ଚାରି ଚକିଆ ଯାନ ଜବତ ହୋଇଛି । ସମସ୍ତ ଗାଡ଼ିଗୁଡ଼ିକର କାଗଜପତ୍ର ଯାଞ୍ଚ ରହିଛି । ମୋଟ ଭଦ୍ରକ ୬ ଜଣ, ବାଲେଶ୍ୱରରେ ୪ ଜଣଏବଂ ମୟୁରଭଞ୍ଜରେ ୪ରୁ ୫ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ଆଉ କିଛି ଜଣ ଫେରାର ହୋଇଯାଇଛନ୍ତି । ସମସ୍ତଙ୍କୁ ଜେରା ଆରମ୍ଭ ହୋଇଯାଇଛି ।
ଏହା ଏକ ସଙ୍ଗଠିତ ଅପରାଧଭାବରେ ବିବେଚନା କରାଯାଉଛି । ଗୋ-ଚାଲାଣକାରୀଙ୍କ ବିରୁଦ୍ଧରେ ସରକାର ଶୂନ୍ୟ ସହନଶୀଳତା ଗ୍ରହଣ କରାଯାଇଛି । ଡିଜିପିଙ୍କ ନିର୍ଦ୍ଦେଶକକୁ କଡ଼ାକଡ଼ିଭାବେ ପାଳନ କରାଯାଇ ସମସ୍ତ ନିୟମାନୁସାରେ ଚଢ଼ଉ ଜାରି ରହିଛି ।
ଏହା ଏକ ଆନ୍ତଃରାଜ୍ୟ ଗୋ-ଚାଲାଣ ମାମଲାର ହୋଇଥିବା ପୋଲିସ ଅନୁମାନ କରିଛି । ଯାହାର ତଦନ୍ତ ଜାରି ରହିଛି । ବର୍ତ୍ତମାନ ଗୋ-ଚାଲାଣକାରୀମାନେ ଅଭିନବ ଉପାୟରେ ଚାଲାଣ କରୁଥିବା ଜଣାପଡ଼ିଛି । ସେମାନେ ଗାଡ଼ି ଏବଂ ମୁଖ୍ୟ ରାସ୍ତାକୁ ବ୍ୟବହାର କରିବା ବଦଳରେ ଫାଙ୍କା ସ୍ଥାନରେ ଚଲାଇ ଚଲାଇ ନେଉଛନ୍ତି । ଏମିତିକି କିଛି ଚାଷୀଙ୍କ ଗୋରୁକୁ ଚୋରି ମଧ୍ୟ କରାଯାଉଛି । ଯାହାର ତଦନ୍ତ ଜାରି ରହିଛି ।