ଗଞ୍ଜାମ: ପୁଣି ଥରେ ମାଇଁ ନାମରେ ଲାଗିଛି କଳଙ୍କ । ମାଇଁ ନିଜ ଭାଣିଜୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ନିକଟସ୍ଥ ଲକ୍ଷ୍ମଣପଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମାଇଁ ଭାଣିଜୀର ତଣ୍ଟିଚିପି ହତ୍ୟା କରିଛି ।
ପ୍ରାଥମିକ ସୂଚନା ମୁତାବକ, ବୁଗୁଡା ବ୍ଳକ୍ କାନକୁଟୁରୁ ଗାଁର ନାବାଳିକା ଅର୍ଚ୍ଚନା ନିଜ ମାମୁ ଘର ଗଣେଶ ମହାରଣାଙ୍କ ଘରକୁ ବୁଲି ଆସିଥିଲା । ବୁଧବାର ସକାଳେ ଅର୍ଚ୍ଚନା ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାରବର୍ଗ ଖୋଜାଖୋଜି କରିବା ପରେ ଝିଅକୁ ନ ପାଇଁ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । କିନ୍ତୁ ରାତିରେ ଅର୍ଚ୍ଚନାଙ୍କ ମୃତଦେହ ମାମୁଁ ଘର ବାରିପଟେ ୨୦ ମିଟର ଦୂରରେ ଥିବା ଏକ ପାଇଖାନା ଘରୁ ମିଳିଥିଲା ।
ପରିବାର ଲୋକେ ଏ ନେଇ ପୋଲିସକୁ ଖବର ଦେଇଛନ୍ତି । ପୋଲିସ ମୃତ ଦେହକୁ ଜବତ କରିଛି । ନାବାଳିକାର ବେକରେ କଳା ରହିଥିବାବେଳେ ଜରିପାଲ ଘୋଡ଼ାଯାଇଥିଲା। ତେଣୁ ନାବାଳିକାକୁ କେହି ତଣ୍ଟିଚିପି ହତ୍ୟା କରାଯାଇଥିବା ସନ୍ଦେହ ପ୍ରକାଶ ପାଇଛି । ଘର ଲୋକେ ମାଇଁ ଉପରେ ସନ୍ଦେହ କରିଛନ୍ତି । ମାଇଁ ତାକୁ ହତ୍ୟା କରିଥିବା ଅନୁମାନ କରାଯାଉଛି ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ଓ ଏସଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି । ମାଇଁ ପୋଲିସ ଅଟକ ରଖି ପଚରାଉଚରା କରୁଥିବାବେଳେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।