ସୋମବାର ଦିଲ୍ଲୀ ବିଧାନସଭା ପରିସରରେ ଏକ ଗମ୍ଭୀର ସୁରକ୍ଷା ଚ୍ୟୁତି ମାମଲା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶ ନମ୍ବର ଥିବା ଏକ ଅଜ୍ଞାତ କାର୍ ବିଧାନସଭାର ୨ ନମ୍ବର ଗେଟ୍କୁ ଧକ୍କା ଦେଇ ଜବରଦସ୍ତ ଭିତରକୁ ପଶିଯାଇଥିଲା। ଏହି ଘଟଣା ପରେ ସେଠାରେ ଥିବା କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ବାଚସ୍ପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖିଲେ ଫୁଲତୋଡ଼ା
ସୂଚନା ଅନୁଯାୟୀ, ଜଣେ ମୁଖାପିନ୍ଧା ବ୍ୟକ୍ତି କାର୍ ଚଲାଉଥିଲେ। ସେ କାର୍ ନେଇ ସିଧା ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ କାର୍ଯ୍ୟାଳୟ ଆଡ଼କୁ ମାଡ଼ି ଯାଇଥିଲେ ଏବଂ ବାରଣ୍ଡା ପାଖରେ ଏକ ଫୁଲତୋଡ଼ା ରଖି ଫେରାର୍ ହୋଇଯାଇଥିଲେ। ତେବେ ସେହି ଫୁଲତୋଡ଼ାରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ଦ୍ୱିପ୍ରହର ପ୍ରାୟ ୨ଟା ସମୟରେ ଏହି ଘଟଣା ଘଟିଥିବା ବେଳେ ସେଠାରେ CRPF ସୁରକ୍ଷାକର୍ମୀ ମୁତୟନ ଥିଲେ।
ପୁଲିସର ତଦନ୍ତ ଜାରି
ଘଟଣା ଘଟାଇଥିବା କାର୍ର ନମ୍ବର ହେଉଛି UP-26 AZ 8090। ଦିଲ୍ଲୀ ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ଗାଡ଼ି ଏବଂ ଚାଳକଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି। ବିଧାନସଭାକୁ ବୋମାରେ ଉଡ଼ାଇ ଦେବା ପାଇଁ ନିକଟରେ ମିଳିଥିବା ଧମକ ପରେ ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାର୍ଟି କାହାର ଏବଂ ସେହି ବ୍ୟକ୍ତିଙ୍କ ଉଦ୍ଦେଶ୍ୟ କ’ଣ ଥିଲା, ସେ ନେଇ ପୁଲିସ ଖୋଳତାଡ଼ କରୁଛି।