ଜମ୍ମୁ: ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ (ଏନ୍ଏଚ୍-୪୪)ରେ ସୋମବାର ପୂର୍ବାହ୍ଣରେ ଏକ ବଡ଼ଧରଣର ଭୂସ୍ଖଳନ ସୃଷ୍ଟି ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସୋମବାର ଭୋର ପ୍ରାୟ ୩ଟା ସମୟରେ କାରୋଲ ବ୍ରିଜ୍ ଏବଂ ଚନ୍ଦର କୋଟ ମଧ୍ୟରେ ପର୍ବତରୁ ପ୍ରବଳ ପଥର ଏବଂ କାଦୁଅ ଖସି ରାସ୍ତାର ଉଭୟ ପାର୍ଶ୍ୱକୁ ଅବରୋଧ କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ, ଜମ୍ମୁରୁ ଶ୍ରୀନଗର ଏବଂ ଶ୍ରୀନଗରରୁ ଜମ୍ମୁ ଉଭୟ ପାର୍ଶ୍ୱରେ ଯାତାୟାତ ଅଟକି ରହିଛି। ପ୍ରଶାସନ ସୋସିଆଲ ମିଡିଆରେ ପ୍ରସାରିତ ମିଥ୍ୟା ସୂଚନା ଉପରେ ନିର୍ଭର ନକରିବାକୁ ପରାମର୍ଶ ଦେଇଛି।
ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଏପ୍ରିଲ ମାସରେ ପ୍ରବଳ ବର୍ଷା ଯୋଗୁଁ ହଠାତ୍ ଭୂସ୍ଖଳନ ଘଟି ରାମବନ ଜିଲ୍ଲାର ଧରମକୁଣ୍ଡରେ ଚେନାବ ନଦୀ ନିକଟରେ ଏକ ଗାଁରେ ଆଘାତ ଲାଗିଥିଲା। ଦଶଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ଏବଂ ୨୫-୩୦ ଜଣ ଆଂଶିକ ପ୍ରଭାବିତ ହୋଇଛନ୍ତି। ଧରମକୁଣ୍ଡ ପୋଲିସ ପ୍ରାୟ ୯୦-୧୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲା। ରାମବନ ଜିଲ୍ଲାର ବାନିହାଲ ଅଞ୍ଚଳରେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିଲା। ଏହା ଯୋଗୁଁ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ହୋଇଯାଇଥିଲା, ଯାହା ଫଳରେ ରାଜପଥରେ ଶହ ଶହ ଯାନବାହନ ଫସି ରହିଥିଲା। କିସ୍ତୱାର-ପଦ୍ଦର ରାସ୍ତାକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା ଏବଂ ଯାନବାହାନ ଚଳାଚଳ ବନ୍ଦ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଦିଲ୍ଲୀର ସ୍ୱତନ୍ତ୍ର ଲୋକ ଅଦାଲତରେ ରେକର୍ଡ, ୧.୨୦ ଲକ୍ଷ ଟ୍ରାଫିକ୍ ଚାଲାଣ ସମାଧାନ