ଭୁୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ବିଭ୍ରାଟ । ପୁଣି ଉପାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ । ପ୍ରଶାସନର ଅବହେଳା ଅଭିଯୋଗ କରି ବୁଧବାର ସମର୍ଥା ନିଯୋଗ ସେବାୟତ ନୀତିକାନ୍ତି ବନ୍ଦ କରିଛନ୍ତି । ଏପରିକି ଆସନ୍ତାକାଲି ମଧ୍ୟ ନୀତି ବନ୍ଦ ରଖିବାକୁ ଦେଇଛନ୍ତି ଚେତାବନୀ । ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । କାର୍ତ୍ତିକ ମାସରେ ଏଭଳି ଅପ୍ରୀତିକର ଘଟଣାକୁ ଭକ୍ତ ମହଲରେ ନିନ୍ଦା କରାଯାଇଛି ।
ସୂଚନା ଅନୁସାରେ, ବୁଧବାର ସକାଳେ ସ୍ୱାଭାବିକ ଭାବେ ପ୍ରଭୁ ଲିଙ୍ଗରାଜଙ୍କ ଦ୍ୱାରଫିଟା ଓ ସୂର୍ଯ୍ୟପୂଜା ହୋଇଥିଲା । ସମର୍ଥା ନିଯୋଗ ସେବାୟତଙ୍କ ପାଳି ଥିଲା । କିନ୍ତୁ ସମର୍ଥା ନିଯୋଗର ଉପଯୁକ୍ତ ଉତ୍ତରାଧିକାରୀ ଥିବାରୁ ବିବାଦ ସୃଷ୍ଟି ହୋଇଥିଲା । ଫଳରେ ସୂର୍ଯ୍ୟପୂଜା ପରେ ଦ୍ୱାରପାଳ ପୂଜା ପରଠୁ ନୀତିକାନ୍ତି ବନ୍ଦ ରହିଛି । ଫଳରେ ପ୍ରଭୁ ଲିଙ୍ଗରାଜଙ୍କୁ ଖାଡା ଉପବାସରେ ରହିବାକୁ ପଡିଛି ।
ଏପରିକି ମହାପ୍ରଭୁଙ୍କଠାରେ ଭୋଗ ଲାଗି ହୋଇ ନ ଥିବାରୁ ହଜାର ହଜାର ହବିଷ୍ୟାଳି ଓ ଭକ୍ତ ପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏମିତି ପରିସ୍ଥିତି ପାଇଁ ସେବକମାନେ ମନ୍ଦିର ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି । ସେବାୟତମାନେ ଅଭିଯୋଗ କରିଛନ୍ତି ଯେ, ସେବାୟତଙ୍କ ଉତ୍ତରାଧିକାରୀ ନ ଥିବାରୁ ତାଙ୍କ ସେବା କିଏ କରିବ ତାହା ପ୍ରଶାସନ ସ୍ଥିର କରି ପାରୁନି । ଫଳରେ ଏମିତି ଅବସ୍ଥା ଦେଖା ଦେଇଛି ।
ଏହା ପୂର୍ବରୁ ଚଳିତ ବର୍ଷ ମଧ୍ୟ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶିବ ପବିତ୍ରାରୋପଣ ନୀତ ବନ୍ଦ ରହିଥିଲା । ଫଳରେ ମହାପ୍ରଭୁ ପଇତାଲାଗି ହୋଇ ପାରି ନ ଥିଲା । ରକ୍ଷାବନ୍ଧନରେ ପ୍ରଭୁ ପଇତା ପିନ୍ଧି ପାରି ନଥିଲେ । ପ୍ରାୟ ୫ବର୍ଷ ହେଲା ଲାଗି ରହିଥିବା ସେବାୟତଙ୍କ ବିବାଦର ସମାଧାନ ହୋଇ ନଥିବାରୁ ଏଭଳି ସ୍ଥିତି ଉପୁଜିଥିଲା।