ପୁରୀର ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତିର ଦ୍ୱିତୀୟ ପର୍ଯ୍ୟାୟ ଏବେ ଗୁରୁତ୍ୱପୂର୍ଣ୍ଣ ମୋଡ଼କୁ ପହଞ୍ଚିଛି। ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ଆଜି ପୁଣିଥରେ ଦିନ ୧୧ଟା ୩୦ରେ ଗଣତିମଣତି ଆରମ୍ଭ ହେବ। ପ୍ରାଧିକୃତ ଅଧିକାରୀ ଓ ସେବାୟତମାନେ ମନ୍ଦିର ଭିତରକୁ ପ୍ରବେଶ କରିବା ପରେ ଏହି ସମ୍ବେଦନଶୀଳ ପ୍ରକ୍ରିୟା ଆରମ୍ଭ ହେବ।
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସଞ୍ଚିତ ଅମୂଲ୍ୟ ଗହଣା, ସୁନା-ରୂପା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀର ଗଣତି କାମ ଏବେ ଜୋରଦାର ଭାବେ ଚାଲିଛି। ପ୍ରଥମ ଦିନର ସଫଳ ଗଣତି ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ଯେ ମହାପ୍ରଭୁଙ୍କ କୃପାରୁ ସମସ୍ତ କାମ ସୁଚାରୁ ଭାବେ ଆଗକୁ ବଢ଼ୁଛି।
ଏହି ପ୍ରକ୍ରିୟାରେ ସରକାର ଗଠିତ କମିଟି, ଉଚ୍ଚ ଅଧିକାରୀ ଓ ସେବାୟତମାନେ ସମ୍ମିଳିତ ଭାବେ ଯୋଗଦେଉଛନ୍ତି। ନିର୍ଦ୍ଧାରିତ ଏସଓପି ଅନୁଯାୟୀ ପ୍ରତ୍ୟେକ ଗହଣା ଓ ମୂଲ୍ୟବାନ ବସ୍ତୁର ୩ଡି ମ୍ୟାପିଂ କରାଯାଉଛି, ଯାହା ଭବିଷ୍ୟତ ପାଇଁ ଏକ ସଂପୂର୍ଣ୍ଣ ଡିଜିଟାଲ ରେକର୍ଡ ରୂପେ ରହିବ। ଏଥିସହିତ ଗହଣାର ବିସ୍ତୃତ ବିବରଣୀ ସଂଗ୍ରହ କରାଯାଉଛି, ଯାହା ଆଗାମୀଦିନରେ କୌଣସି ଅସମ୍ମିଳନ କିମ୍ବା ବିବାଦକୁ ଏଡାଇବାରେ ସହାୟକ ହେବ।
ପ୍ରଥମେ ବାହାର ରତ୍ନଭଣ୍ଡାରର ଗଣତି ହେଉଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରକୁ ଗଣନାରେ ଆଣାଯିବ। ସମୁଦାୟ ପ୍ରକ୍ରିୟା ଲଗାତାର ୪ ଦିନ ଚାଲିବାକୁ ଥିବାବେଳେ ୧୨ ତାରିଖ ରବିବାର ବିରତି ରହିବ। ପୁଣି ୧୩ ତାରିଖରେ କାମ ଆରମ୍ଭ ହେବ ଏବଂ ୧୪ ଓ ୧୫ ତାରିଖରେ ବନ୍ଦ ରହିପାରେ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଲଗାତାର ଗଣତିମଣତି ଚାଲିବ।
ରତ୍ନଭଣ୍ଡାର ଗଣତିମଣତି କେବଳ ଏକ ପ୍ରଶାସନିକ କାର୍ଯ୍ୟ ନୁହେଁ, ବରଂ ଶ୍ରଦ୍ଧା, ପାରମ୍ପରିକତା ଓ ପାରଦର୍ଶିତାର ଏକ ବଡ଼ ପରୀକ୍ଷା ଭାବେ ଦେଖାଯାଉଛି। ଏହା ଦ୍ୱାରା ମହାପ୍ରଭୁଙ୍କ ଧନର ସଠିକ ତଥ୍ୟ ଆଗକୁ ଆସିବା ସହିତ ପରିଚାଳନାରେ ଆରମ୍ଭ ହେବ ଏକ ନୂଆ ଅଧ୍ୟାୟ।
ଅଧିକ ପଢନ୍ତୁ: ରତ୍ନଭଣ୍ଡାର ଗଣତି ନେଇ ଗଜପତିଙ୍କ ମତ; କହିଲେ, ସମୟ ଲାଗୁ ପଛେ କାମ ନିଖୁଣ ହେବା ଦରକାର