ଭୁବନେଶ୍ୱର: ରାଜ୍ୟ ପୋଲିସ ପକ୍ଷରୁ ୮୨ ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କର ଏକକାଳୀନ ପେନସନ ଓ ଜିପିଏଫ୍ ମାମଲାର ଶୁଣାଣି ହୋଇଛି । ସ୍ୱତନ୍ତ୍ର ଅଦାଲତରେ ଶୁଣାଣି କରି ସମସ୍ତ ଉପଭୋକ୍ତାଙ୍କୁ ସୂଚନା ପତ୍ର ବଣ୍ଟନ କରାଯାଇଛି ।
ଆଜି ଓଡ଼ିଶା ପୋଲିସ ପକ୍ଷରୁ ଭୁବନେଶ୍ୱରସ୍ଥିତ ସପ୍ତମ ବାଟାଲିୟନ ପରିସରରେ ଅକାଉଣ୍ଟାଣ୍ଟ ଜେନେରାଲ, ଓ ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଆନୁକୂଲ୍ୟରେ ପେନସନ ଏବଂ ଜିପିଏଫ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ପୋଲିସ ଡିଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଉଦାଘାଟନ କରିଛନ୍ତି । ଏହି ଅଦାଲତରେ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ପୋଲିସ ବିଭାଗର ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପେନସନ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଅଦାଲତରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଗ୍ରାଚୁଇଟି, ଜି.ପି.ଏଫ୍., ପରିବାର ପେନସନ ଏବଂ ଅନ୍ୟାନ୍ୟ ଆର୍ଥିକ ସମସ୍ୟା ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗର ପ୍ରାଥମିକତା ଭିତ୍ତିରେ ଶୁଣାଣି କରାଯାଇଥିଲା।
ଏହି ଅଦାଲତରେ ମୋଟ ୬୮ ଜଣ ପେନସନର / ଫ୍ୟାମିଲି ପେନସନର ଉପସ୍ଥିତ ହୋଇ ନିଜର ଅଭିଯୋଗ ଓ ସମସ୍ୟା ଉପସ୍ଥାପନ କରିଥିଲେ। ସମସ୍ତ ମାମଲାକୁ ସଠିକ ଭାବରେ ପରୀକ୍ଷା କରାଯାଇ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହାସହ ୧୬ଟି ପିପିଓ/ଜିପିଓ/ଜିପିଏଫ୍ ସୂଚନା ପତ୍ର ଉପଭୋକ୍ତାମାନଙ୍କୁ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ପ୍ରିୟଦର୍ଶୀ ଏବଂ ଅକାଉଣ୍ଟାଣ୍ଟ ଜେନେରାଲ ସ୍ୱାମୀ ଶୁଭମ ବୈଜନାଥଙ୍କ ଦ୍ୱାରା ବିତରଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ପୋଲିସ କର୍ମଚାରୀମାନଙ୍କ ପାଇଁ ପ୍ରଥମ ଥର ପାଇଁ ଏହି ପେନସନ ଅଦାଲତ ଆୟୋଜନ କରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ପଦକ୍ଷେପ ପେନସନ ଉପଭୋକ୍ତାଙ୍କ କଲ୍ୟାଣ ନିମନ୍ତେ ଏକ ମାଇଲଷ୍ଟୋନ ଭାବେ ପରିଗଣିତ ହେବ ବୋଲି ସେ କହିଥିଲେ। ଏହାସହ ସେ ଶୁଭମ ବୈଜନାଥଙ୍କ କାର୍ଯ୍ୟାଳୟର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ।
ଏହି ଅଦାଲତରେ ରାଜ୍ୟ ପୋଲିସର ଆର୍ଥିକ ପରାମର୍ଶଦାତା ମମତା ମଲ୍ଲିକ, ଅର୍ଥ ଅଧିକାରୀ ସରୋଜ କୁମାର ନାଏକ, ବରିଷ୍ଠ ଆକାଉଣ୍ଟ ଅଫିସର ଶରତ କୁମାର ମହାପାତ୍ର, ବିଶ୍ଵାସ କୁମାର ସିହ୍ନା ଓ ରବି କୁମାରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ପେନସନରମାନଙ୍କ ଅଭିଯୋଗକୁ ପ୍ରତ୍ୟକ୍ଷ ଭାବେ ଶୁଣିଥିଲେ ଏବଂ ସମାଧାନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।