ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବଡ଼ ଧରଣର ଦୁର୍ନୀତି । ୨ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ । ଦୁର୍ନୀତି ନିବାରଣ ବିଭାଗ ଟିମ୍ ୫ ଜଣଙ୍କୁ ଏକକାଳୀନ ଗିରଫ କରିଛି । ସେମାନଙ୍କ ମଧ୍ୟରେ କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ରର ୪ ଜଣ କର୍ମଚାରୀ ଏବଂ ବେଗୁନିଆପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀ ଅଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି କୋଦଳା ଡାକ୍ତରଖାନାର ବରିଷ୍ଠ ସହକାରୀ ଜତୀନ କୁମାର ଭୂୟାଁ, ଏମପିଏଚଡବ୍ଲ୍ୟୁ ଭାରତୀ ପ୍ରଧାନ, ଆଟେଣ୍ଡାଣ୍ଟ୍ ଗୋପାଳ ନାହାକ ଓ ଛାଡ଼ୁଦାର ମନୁ ନାଏକ ଏବଂ ବେଗୁନିଆପଡ଼ା ଡାକ୍ତରଖାନାର ଆଣ୍ଟେଣ୍ଡାଣ୍ଟ୍ ରାମଚନ୍ଦ୍ର ମଳିକ।
ବକେୟା ଦରମା ଆତ୍ମସାତ କରିବା ଅଭିଯୋଗରେ ଭିଜିଲାନ୍ସ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଡାକ୍ତରଖାନାର ବିଭିନ୍ନ କର୍ମଚାରୀଙ୍କ ବକେୟା ଦରମାକୁ ଜାଲିଆତି କରି ହାତେଇ ନେଇଛନ୍ତି ୨ କୋଟି ଟଙ୍କା । ବିଭିନ୍ନ କର୍ମଚାରୀଙ୍କ ନାମରେ ନକଲି ବିଲ୍ ପ୍ରସ୍ତୁତ କରି ଖାଇଛନ୍ତି ଟଙ୍କା । ୨୦୨୩ ରୁ ୨୦୨୫ ମଧ୍ୟରେ ଏହି ଟଙ୍କା ହଡ଼ପ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟଙ୍କା ହେରଫେର ଜାଣିବା ପରେ ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ କରିଥିଲା । ଭିଜିଲାନ୍ସ ଟିମ୍ ଆଜି ୫ ଜଣଙ୍କୁ ଉଠାଇ ନେଇ ସିଡିଏମଓ କାର୍ୟ୍ୟାଳୟରେ ଜେରା କରିବା ପରେ ଗିରଫ କରିଛି ।
ପିସି ଆଇନ ୧୯୮୮ର ଧାରା ୧୩(୨) ଏବଂ ୧୩(୧)(କ) (୨୦୧୮ରେ ସଂଶୋଧିତ), ଆଇପିସିର ଧାରା ୪୦୯, ୪୬୭, ୪୬୮, ୪୭୧ ଓ ୧୨୦-ବି ଏବଂ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୩୧୬(୫), ୩୩୬(୩), ୩୩୮, ୩୪୦(୨) ଓ ୬୧(୨)) ଆଧାରାରେ ଭିଜିଲାନ୍ସରେ ମାମଲା ରୁଜୁ ହୋଇଛନ୍ତି । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି ।