ଭୁବନେଶ୍ୱର: ଦୀର୍ଘ ତିନି ମାସ ପରେ ରାଉରକେଲା ବିମାନ ଦୁର୍ଘଟଣାର ପ୍ରାଥମିକ ରିପୋର୍ଟ ଆସିଛି । ଇଞ୍ଜିନରୁ ତେଲ ସରିଯିବା କାରଣରୁ ବିମାନ ଦୁର୍ଘଟଣା ଘଟିଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏଏଆଇବି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।
ଇଞ୍ଜିନରୁ ସରିଯାଇଥିଲା ତେଲ
ରିପୋର୍ଟ ଅନୁଯାୟୀ, ଗତ ୧୦ ତାରିଖରେ ଏୟାର ଇଣ୍ଡିଆ ୱାନ୍ର ବିମାନ ରାଉରକେଲା ରଘୁନାଥପାଲି କଂସର ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପୂର୍ବରୁ ଇ଼ଞ୍ଜିନରେ ଇନ୍ଧନ ସରିଯାଉଥିବା ପାଇଲଟ୍ ଜାଣିବାକୁ ପାଇଥିଲେ । ରାଉରକେଲାରୁ ପ୍ରାୟ 30 ନଟିମାଇଲ୍ ଦୂରରେ, ପାଇଲଟ୍ ଦେଖିଲେ ଯେ ଇଞ୍ଜିନରେ ତେଲର ଚାପ କମ ରହିଛି ଏବଂ ସେମାନେ ତଦାରଖ କରିବା ଆରମ୍ଭ କରିଥିଲେ । କମ୍ ତେଲ ଚାପ ସୂଚକ ନିଶ୍ଚିତ ହେବା ପରେ କର୍ମଚାରୀମାନେ ନନ୍-ନର୍ମାଲ ଚେକଲିଷ୍ଟ ପ୍ରକ୍ରିୟା ଅନୁଯାୟୀ ଇଞ୍ଜିନକୁ ସୁରକ୍ଷିତ କଲେ ଏବଂ ନିକଟତମ ଉପଯୁକ୍ତ ସ୍ଥାନରେ ଜରୁରୀକାଳୀନ ଅବତରଣ କରିବାକୁ ପ୍ରସ୍ତୁତ ହୋଇଥିଲେ । ପାଇଲଟ ଜରୁରୀ ଅବତରଣ କରିବାକୁ ରାଉରକେଲା ଏଟିସିକୁ ଏକ ମେଡେ କଲ୍ ଦେଇଥିଲେ ।
ଗଛ ଓ ବିଦ୍ୟୁତ ତାର ସହ ଧକ୍କା
ପାଇଲଟ୍ ନିକଟସ୍ଥ ନଦୀ କିମ୍ବା ପଡ଼ିଆରେ ବିମାନକୁ ଅବତରଣ କରିବାକୁ ଚେଷ୍ଟା କରିଥିଲେ । ପର୍ଯ୍ୟାପ୍ତ ଉଚ୍ଚତା ନ ଥିବାରୁ ଚାଳକ ବିମାନକୁ ନିକଟସ୍ଥ ଏକ ଖୋଲା ପଡ଼ିଆରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅବତରଣ ସମୟରେ ବିମାନଟି ପ୍ରଥମେ ଏକ ଗଛର ଉପର ଭାଗକୁ ଧକ୍କା ଦେବା ପରେ ଏକ ବିଦ୍ୟୁତ୍ ତାରକୁ ଧକ୍କା ଦେଇଥିଲା। କର୍ମଚାରୀମାନେ ବିଦ୍ୟୁତ୍ ତାରକୁ ଏଡାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ବିମାନଟି ତଳକୁ ଖସି ପଡ଼ିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ଭୁବନେଶ୍ୱରରୁ ରାଉରକେଲା ଯାଉଥିଲା ବିମାନ
ପ୍ରକାଶ ଯୋଗ୍ୟ, ଗତ ୧୦ ତାରିଖରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଚାର୍ଟର ବିମାନ ରାଉରକେଲାରୁ ୧୦ କିଲୋମିଟର ପୂର୍ବରୁ ଜଲଦା ନିକଟରେ ଜରୁରୀ ଅବତରଣ ବେଳେ ଦୁର୍ଘଟଣାର ଶୀକାର ହୋଇଥିଲା । ବିମାନରେ ମୋଟ ୯ଟି ସିଟ୍ ଉପଲବ୍ଧ ଥିବାବେଳେ ୬ ଯାତ୍ରୀ ଉପସ୍ଥିତ ଥିଲେ । ବିମାନରେ ଥିବା ୪ ଜଣ ଯାତ୍ରୀ ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ ଓ ସବିତା ଅଗ୍ରୱାଲ ଏବଂ ୨ ଜଣ କ୍ର୍ୟୁ ସଦସ୍ୟ କ୍ୟାପ୍ଟେନ ନବୀନ କାଡ଼ଙ୍ଗା ଏବଂ କ୍ୟାପ୍ଟେନ ତରୁଣ ଶ୍ରୀବାସ୍ତବ ଗୁରୁତର ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯାତ୍ରୀ ସୁଶାନ୍ତ ବିଶ୍ୱାଳ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।