ଭୁବନେଶ୍ୱରବାସୀଙ୍କ ପାଇଁ ଆସୁଛି ବଡ଼ ଖବର। ବହୁଦିନ ଧରି ଅପେକ୍ଷିତ ସାଲିଆ ସାହି ରାସ୍ତା ଏପ୍ରିଲ୍ ଶେଷ ସୁଦ୍ଧା ଲୋକଙ୍କ ପାଇଁ ଖୋଲିବାକୁ ଯାଉଛି। ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବାବେଳେ, ଏପ୍ରିଲ୍ ୩୦ ମଧ୍ୟରେ କାମ ସମାପ୍ତ କରି ଉଦଘାଟନ କରିବା ଲକ୍ଷ୍ୟ ଧରାଯାଇଛି।
ଜୟଦେବ ବିହାରର ପାରାଲେଲ୍ ରୋଡ୍ ଭାବରେ ଗଢ଼ିଉଠୁଥିବା ଏହି ରାସ୍ତା, ରାଜଧାନୀର ବଢ଼ୁଥିବା ଟ୍ରାଫିକ୍ ସମସ୍ୟାର ଏକ ବଡ ସମାଧାନ ହେବାକୁ ଯାଉଛି। ପୂର୍ବରୁ ଏପ୍ରିଲ୍ ୧୫ ସୁଦ୍ଧା କାମ ସାରିବା ଲକ୍ଷ୍ୟ ଥିଲେ ମଧ୍ୟ, ସୁରକ୍ଷା ଦୃଷ୍ଟିକୋଣରୁ ଡିଜାଇନରେ ପରିବର୍ତ୍ତନ କରାଯାଇଥିବାରୁ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏହା ଫଳରେ ରାସ୍ତାରେ ଦୁର୍ଘଟଣା ସମ୍ଭାବନା କମିବା ସହ ଯାତାୟାତ ଅଧିକ ସୁରକ୍ଷିତ ହେବ।
ମନ୍ତ୍ରୀ ନିଜେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି କାମର ନିରୀକ୍ଷଣ କରିଥିବାବେଳେ, ଆଉ ୨୨ ଦିନ ମଧ୍ୟରେ କାମ ସମାପ୍ତ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏକାମ୍ର କାନନ ପାର୍ଶ୍ୱରୁ ଚୁନକୋଇଲି ପର୍ଯ୍ୟନ୍ତ ପ୍ରସାରିତ ଏହି ରାସ୍ତା ପ୍ରାୟ ୧୧ରୁ ୧୨ କିଲୋମିଟର ଲମ୍ବା ଓ ୨୦୦ ଫୁଟ୍ ଚୌଡ଼ା ହେବାକୁ ଯାଉଛି। ଏହି ରୋଡ୍ ଚାଲୁ ହେଲେ ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍ର ଭିଡ଼ ଅନେକ ହ୍ରାସ ପାଇବ। ତାସହିତ, କଟକରୁ ଭୁବନେଶ୍ୱର ଯାତାୟାତ ମଧ୍ୟ ଅଧିକ ସହଜ ଓ ସମୟସାପେକ୍ଷ ହେବ। ଦିନକୁ ଘଣ୍ଟା ଘଣ୍ଟା ଟ୍ରାଫିକ୍ରେ ଅଟକି ରହୁଥିବା ଲୋକମାନଙ୍କ ପାଇଁ ଏହା ହେବ ବଡ଼ ଆଶ୍ଵସ୍ତି।
ଅନ୍ୟପଟେ, ରାଜଧାନୀବାସୀ ମଧ୍ୟ ଏହି ରାସ୍ତାର ଶୀଘ୍ର ସମାପ୍ତିକୁ ଅପେକ୍ଷା କରି ବସିଛନ୍ତି। ସରକାର ଆଗାମୀ ଦିନରେ ଏଭଳି ମୋଟ ୩୭ଟି ପାରାଲେଲ୍ ରୋଡ୍ ନିର୍ମାଣ କରିବା ଲକ୍ଷ୍ୟ ରଖିଥିବା ବେଳେ, ସାଲିଆ ସାହି ରାସ୍ତା ହେଉଛି ଏହି ଯୋଜନାର ପ୍ରଥମ ପଦକ୍ଷେପ।
ଅଧିକ ପଢନ୍ତୁ: ସୋସିଆଲ୍ ମିଡିଆରେ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ହେବ କଡ଼ା ଆକ୍ସନ; ଆସୁଛି କଡା ଆଇନ