ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଭୂଇଁପୁରଠାରେ ଦ୍ୱିତୀୟ ପର୍ୟ୍ୟାୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କରିଛନ୍ତି । ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ବେଳକୁ ସମୃଦ୍ଧ ଓଡ଼ିଶା ଏବଂ ଓଡ଼ିଶା ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ସାମ୍ବାଦିକ ମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି କହିଛନ୍ତି ଯେ ରାଜ୍ୟ ସରକାର ଶିଳ୍ପାୟନ କ୍ଷେତ୍ରରେ ଆଉ ଦୁଇ ପାଦେ ଆଗକୁ ବଢ଼ିଛନ୍ତି । ଐତିହାସିକ ଖୋର୍ଦ୍ଧା ମାଟିରେ ଦ୍ୱିତୀୟ ଥର ପାଇଁ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ୟ୍ୟକ୍ରମ ହୋଇଛି । ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟକୁ ୪୦ ହଜାର ୮୧୧ କୋଟି ଟଙ୍କାର ପୁଞ୍ଜି ଆସିବାକୁ ସୁନିଶ୍ଚିତ କରାଯାଇଛି । ତତସହିତ ୫୯ ହଜାର ଯୁବ ବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହା ସହିତ ପୁଞ୍ଜି ନିବେଶ କ୍ଷେତ୍ରରେ ଅଢ଼େଇ ଲକ୍ଷ କୋଟି ଟଙ୍କା ବଢ଼ି ଆଜି ତାହା ୨ ଲକ୍ଷ ୯୦ ହଜାର କୋଟିରେ ପହଁଚିଛି ।
ଏଥିରେ ବିଶେଷ କରି ଓଡ଼ିଶାକୁ ସମୃଦ୍ଧ କରିବା ଏବଂ ଓଡ଼ିଶା ଭିଜନ୍ ଡକ୍ୟୁମେଣ୍ଟ ୨୦୩୬ ଏବଂ ୨୦୪୭କୁ ଆଧାର କରି ଭାରତର ଅର୍ଥନୈତିକ କ୍ଷେତ୍ରରେ ପାଞ୍ଚ ଅଗ୍ରଣୀ ରାଜ୍ୟ ମଧ୍ୟରେ ଓଡ଼ିଶାକୁ ପହଁଚାଇବାକୁ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ମହିଳାଙ୍କଠାରୁ ଆରମ୍ଭ କରି ଯୁବକଙ୍କୁ ନିଯୁକ୍ତି, ଚାଷୀ ସଶକ୍ତିକରଣ, ପଛୁଆ ବର୍ଗଙ୍କୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଆଗକୁ ଆଣିବାକୁ ନୀତି ଆପଣାଯାଉଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ବଜେଟ୍ ୩ ଲକ୍ଷ ପାର୍ କରିଛୁ । ପୁଞ୍ଜି ନିବେଶ ଓ ଭିତ୍ତିଭୂମି ନିର୍ମାଣ କରିବାରେ ୭୨ ହଜାର କୋଟିକୁ ଛୁଇଁଛୁ । ସେହି ଆଧାରରେ ଶିଳ୍ପାୟନକୁ ପ୍ରାଧାନ୍ୟ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅଧିକ ପଢ଼ନ୍ତୁ:-
ସେହିପରି ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୩୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି । ଗତ ୩ ଏପ୍ରିଲ ୨୦୨୫ରେ ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ ହୋଇଥିଲା ଆଜି କିଛି ପ୍ରକଳ୍ପ ଉଦଘାଟିତ ହୋଇଛି । ସରକାରଙ୍କ ପ୍ରତି ଆସ୍ଥା ପ୍ରକଟ କରିବା ଏବଂ ଶିଳ୍ପ ନୀତିରେ ଅନେକ ଶିଳ୍ପ ସଂସ୍ଥାକୁ ଆକର୍ଷିତ କରିଛି । ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ବେଳକୁ ସମୃଦ୍ଧ ଓଡ଼ିଶା ଏବଂ ଓଡ଼ିଶା ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।