ଉମରକୋଟ: ପୁଣି ଥରେ ଜଳ ନେଇଛି ଜୀବନ । ଗାଧୋଇବା ବେଳେ ପାଣିରେ ବୁଡ଼ି ୩ ଜଣ ନାବାଳିକାଙ୍କୁ ପ୍ରାଣ ଚାଲିଯାଇଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସି ଗ୍ରାମ ଉପରପାରାରେ ଏଭଳି ଅଘଟଣ ଘଟିଛି । ଦୁଇ ଜଣଙ୍କ ବୟସ ୬ ବର୍ଷ ଏବଂ ଜଣଙ୍କ ବୟସ ୫ ବର୍ଷ ବୋଲି ଜଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଆଜି ସକାଳେ ରାଜମାନ ଗଣ୍ଡଙ୍କର ଦୁଇ ଝିଅ ଏବଂ ବାଲସାହି ଗଣ୍ଡଙ୍କର ଗୋଟିଏ ଝିଅ ସ୍କୁଲକୁ ଯାଇଥିଲେ। ସ୍କୁଲରୁ ଆସିବା ପରେ ସମସ୍ତେ ସାଙ୍ଗ ହୋଇ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବାବେଳେ ତିନି ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି । ଗାଧୋଇବା ବେଳେ ଅସାବଧାନତା ବଶତଃ ଏଭଳି ହୋଇଥିବା ଅନୁମାନ କରାଯାଉଛି । ପରିବାର ଲୋକେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଛନ୍ତି ।
ଏକାବେଳେ ତିନି ତିନି ଜଣଙ୍କର ମୃତ୍ୟୁ ହେବା ପରେ ସମଗ୍ର କୁର୍ସି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କେହି ଏହାକୁ ସହଜରେ ଗ୍ରହଣ କରିପାରୁ ନଥିବାବେଳେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଗତ ମଙ୍ଗଳବାର ଦିନ ସମାନ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଥିଲା । ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତର ପତାଣ୍ଡ ଗ୍ରାମରେ ପୋଖରୀରେ ବୁଡ଼ି ୨ ଜଣ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ଦୁଇଜଣ ହେଲେ ୧୧ ବର୍ଷୀୟ ପ୍ରାଞ୍ଜଳି ଦୋରା ଓ ୧୨ ବର୍ଷୀୟ ମାନିନୀ ଦୋରା। ସ୍କୁଲରୁ ଫେରିବା ପରେ ଉଭୟେ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଅସାବଧାନତାବଶତଃ ସେମାନେ ଗଭୀର ପାଣିରେ ବୁଡ଼ିଯାଇଥିଲେ।