ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ଏବେ ବିଜେଡି ଭିତରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ପରିପେକ୍ଷୀରେ ବିଜେଡି ନେତା ସମ୍ବିତ ରାଉତରାୟଙ୍କ କଟାକ୍ଷ ରାଜନୈତିକ ପରିସ୍ଥିତିକୁ ଆହୁରି ଉଷ୍ଣ କରିଦେଇଛି। ସେ କହିଛନ୍ତି, ଦଳ ଭିତରେ ନୀତି ଓ ଆଦର୍ଶକୁ ଅଣଦେଖା କରି ଟିକେଟ୍ ବଣ୍ଟନ ହେବାରୁ ଏହି ପରିଣାମ ଦେଖିବାକୁ ମିଳିଛି।
ସମ୍ବିତ ରାଉତରାୟ କହିଛନ୍ତି, ୨୦୨୪ ନିର୍ବାଚନରେ ମନଇଛା ଭାବରେ ଟିକେଟ୍ ବଣ୍ଟନ ହୋଇଥିଲା। ଯେଉଁଥିରେ ଦଳ ପ୍ରତି ନିଷ୍ଠାବାନ ନେତାମାନେ ଅବହେଳିତ ହୋଇଥିଲେ, ତାହାର ପରିଣାମ ଏବେ ସ୍ପଷ୍ଟ ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଓ କଂଗ୍ରେସରୁ ଆସିଥିବା ଏବଂ ଦଳର ନୀତି ଆଦର୍ଶ ସମ୍ପର୍କରେ ଅବଗତ ନଥିବା ଲୋକଙ୍କୁ ଟିକେଟ୍ ଦିଆଯାଇଥିଲା।
ରାଜ୍ୟସଭା ନିର୍ବାଚନରେ କେତେକ ନେତାଙ୍କ ବ୍ୟବହାର ନେଇ ସେ ତୀକ୍ଷ୍ଣ ଆକ୍ରୋଶ ପ୍ରକାଶ କରି କହିଛନ୍ତି, “କେତେକ ନେତା ଘୋଡ଼ା ଭଳି ବିକ୍ରି ହୋଇଗଲେ,” ଯାହା ଦଳର ଛବିକୁ କ୍ଷତିଗ୍ରସ୍ତ କରିଛି। ଟିକେଟ୍ ବଣ୍ଟନରେ ପାତର ଅନ୍ତର କାହିଁକି ହେଲା, କିଏ ଏହାର ନିଷ୍ପତ୍ତି ନେଲା, ଏନେଇ ସେ ପ୍ରଶ୍ନ ଉଠାଇଛନ୍ତି।
ତଥାପି, ସମ୍ବିତ ଦଳର ନେତୃତ୍ୱ ପ୍ରତି ଆଶା ବ୍ୟକ୍ତ କରି କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଆହୁରି ଶକ୍ତିଶାଳୀ ହେବ। ଶେଷରେ ସେ ସତର୍କ କରି କହିଛନ୍ତି, “ଯେଉଁମାନେ ସୁଧୁରିବେ ନାହିଁ, ସେମାନଙ୍କୁ ନବୀନ ବାବୁ ମୂଷା ଭଳି ବିଦା କରିଦେବେ।”
ଅଧିକ ପଢନ୍ତୁ: ସସ୍ମିତ ପାତ୍ରଙ୍କ ଇସ୍ତଫା ପତ୍ର ଗୃହୀତ