ମୁମ୍ବାଇ: ହ୍ୱାଟସ୍ଆପ୍ ଆପ୍ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ଏଣିକି ହ୍ୱାଟସ୍ଆପ୍ ରେ କାହାକୁ ମେସେଜ୍ କରିବାକୁ ମୋବାଇଲ୍ ନମ୍ବର ଦେବାକୁ ପଡ଼ିବ ନାହିଁ କିମ୍ବା ନେବାକୁ ମଧ୍ୟ ପଡ଼ିବ ନାହିଁ । କାରଣ ଫୋନ୍ ନମ୍ବର ବଦଳରେ ୟୁଜର୍ସ ୟୁଜର୍ ଆଇଡି ବ୍ୟବହାର କରିପାରିବେ ।
ସଦ୍ୟତମ ଏକ ରିପୋର୍ଟ ଅନୁସାରେ, ହ୍ୱାଟସ୍ଅପ୍ ୟୁଜର୍ସନେମ୍ ଫିଚର ଆଣିବାକୁ ଯାଉଛି । ଅର୍ଥାତ୍ ମେସେଜ୍ ପାଇଁ କାହାକୁ ନମ୍ବର ଦେବାକୁ ପଡ଼ିବ ନାହିଁ । ଏହାକୁ ଏବେ ପରୀକ୍ଷା କରାଯାଉଛି । ପରୀକ୍ଷାମୂଳକ ଭାବେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ମୋବାଇଲରେ ଏହାକୁ ବ୍ୟବହାର କରାଯାଉଛି । ଯଦି ଏହା ସମ୍ପୂର୍ଣ୍ଣରୂପେ ସଫଳ ହୁଏ, ତେବେ ଏହା ହ୍ୱାଟସ୍ଆପ୍ ଇତିହାସରେ ସବୁଠାରୁ ବଡ଼ ଅପଡେଟ୍ ବୋଲି ବିବେଚନା କରାଯାଉଛି ।
ବ୍ୟକ୍ତିଗତ ଗୋପନୀୟତା ପାଇଁ ଏହା ବେଶ ଲାଭଦାୟକ ହେବ । କାରଣ ମୋବାଇଲ୍ ନମ୍ବର ଦେବା ଦ୍ୱାରା ନିଜର ବ୍ୟକ୍ତିଗତ ଗୋପନୀୟତା କ୍ଷୁର୍ଣ୍ଣ ହେଉଛି । କିନ୍ତୁ ୟୁଜର୍ ନେମ୍ ବ୍ୟବହାର କଲେ ଜଣେ ଅଜଣା ବ୍ୟକ୍ତିକୁ ଆଉ ନମ୍ବର ଦେବାକୁ ପଡ଼ିବ ନାହିଁ । ହ୍ୱାଟସଆପରେ ଦୁଇଟି ବିକଳ୍ପ ରହିବ । ଗୋଟିଏ ହେଉଛି ଫୋନ ନମ୍ବରରେ ବାର୍ତ୍ତାଳାପ ଅନ୍ୟଟି ହେଉଛି ୟୁଜର୍ ନେମ୍ । ୟୁଜର୍ସ ଯେଉଁଟା ଚାହିଁବେ ସେଇଟାକୁ ବିକଳ୍ପ ରୂପେ ବାଛି ପାରିବେ । ପୂର୍ବରୁ ଟେଲିଗ୍ରାମ ଏବଂ ସିଗନାଲ ଭଳି ଆପରେ ଏହି ସୁବିଧା ଉପଲବ୍ଧ ରହିଛି । ଏଠାରେ ନମ୍ବର ଦେବା ବାଧ୍ୟତାମୂଳକ ନୁହେଁ ।
ତଥାପି ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏଥିରେ ସ୍ପାମ୍ ମେସେଜ୍ ସଂଖ୍ୟା ବଢ଼ିପାରେ । ଯଦି ୟୁଜର୍ ନେମ୍ ଦ୍ୱାରା ଜଣେ ଆପଣଙ୍କ ନିକଟରେ ପହଁଚୁଛି ତାହା ହେଲେ କେହି ବି ଅଜଣା ବ୍ୟକ୍ତି ଆପଣଙ୍କୁ ମେସେଜ୍ କରିବାର ସମ୍ଭାବନା ରହିଛି । ତଥାପି ଏହା ଉପରେ ପରୀକ୍ଷା ଜାରି ରହିଛି ।