ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଏବଂ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ଭାରତ ସରକାରଙ୍କ ପକ୍ଷରୁ 'ପ୍ରଧାନମନ୍ତ୍ରୀ ରାହତ' (PM-RAHAT) ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାର ସଫଳ ରୂପାୟନ ପାଇଁ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଡିସିପି ମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଯୋଜନା ଅଧୀନରେ ଦୁର୍ଘଟଣାର ଶିକାର ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।
ପିଏମ୍-ରାହତ ଯୋଜନାରେ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଦୁର୍ଘଟଣାର ଶୀକାର ଆହତ ବ୍ୟକ୍ତିଙ୍କ କ୍ଷେତ୍ରରେ ୨୪ ଘଣ୍ଟା ଏବଂ ଗୁରୁତର ଆହତଙ୍କ କ୍ଷେତ୍ରରେ ୪୮ ଘଣ୍ଟା ମଧ୍ୟରେ ଇ-ଡିଏଆର୍ (eDAR) ପ୍ଲାଟଫର୍ମରେ ତଥ୍ୟ ଯାଞ୍ଚ ଓ ଅନୁମୋଦନ କରିବାକୁ ପୋଲିସକୁ କୁହାଯାଇଛି । ଯଦି ଦୁର୍ଘଟଣା ଅନ୍ୟ କୌଣସି ଥାନା ଅଞ୍ଚଳରେ ଘଟିଥାଏ, ତେବେ ମାତ୍ର ୩ ଘଣ୍ଟା ମଧ୍ୟରେ ସେହି ଅଞ୍ଚଳ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟରେ ଅବହେଳା କଲେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଚେତାବନୀ ଦେଇଛି ।
'ପ୍ରଧାନମନ୍ତ୍ରୀ ରାହତ' ଯୋଜନା
ପିଏମ୍ ରାହାତ ଯୋଜନା ହେଉଛି ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ଜୀବନ ରକ୍ଷାକାରୀ ସୁରକ୍ଷା । ଗତ ଫେବ୍ରୁଆରୀ ୧୩ ତାରିଖ କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ଅନୁମୋଦନ ଦେଇଛନ୍ତି । ଏହି ଯୋଜନାରେ ଦୁର୍ଘଟଣାରେ ସମ୍ମୁଖୀନ ଗୁରୁତରଙ୍କୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଶୁଳ୍କ ବା କ୍ୟାସ୍ ଲେସ୍ ଚିକିତ୍ସା ଯୋଗାଇ ଦିଆଯିବ । ତ୍ୱରିତ ଚିକିତ୍ସାର ସୁବିଧା ନ ପାଇଁ ଯେମିତି କେହି ଦୁର୍ଘଟଣା ପୀଡ଼ିତ ମୃତ୍ୟୁ ବରଣ ନ କରନ୍ତି, ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ।
-
ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ ଲେସ୍ ଚିକିତ୍ସା
-
ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଆବଶ୍ୟକ
-
ଦୁର୍ଘଟଣା ପରଠାରୁ ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ
-
ପ୍ରତ୍ୟେକ ଜିଲ୍ଲାରେ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯିବ
-
ଚିକିତ୍ସା ନାମରେ ହେଉଥିବା ଜାଲିଆତି ରୋକିବା ପାଇଁ ସିସିଟିଭି ଏବଂ ଟୋଲ୍ ତଥ୍ୟର ସହାୟତା ନିଆଯିବ
-
ଏହି ସମଗ୍ର ପ୍ରକ୍ରିୟାର ତଦାରଖ ପାଇଁ ଷ୍ଟେଟ୍ କ୍ରାଇମ୍ ରେକର୍ଡସ ବ୍ୟୁରୋ ପକ୍ଷରୁ ଏକ ସ୍ୱତନ୍ତ୍ର ସିସିଟିଏନଏସ ଡ୍ୟାସବୋର୍ଡ ପ୍ରସ୍ତୁତ କରାଯିବ