କଟକ: ହାଇକୋର୍ଟଙ୍କ ଆଦେଶକୁ ଅବହେଳା ପାଇଁ ରାଜ୍ୟ ସରକାରଙ୍କୁ ବଡ଼ ଝଟକା। ଅଦାଲତଙ୍କ କଡ଼ା ମନୋଭାବ ସହ ୨୫ ହଜାର ଟଙ୍କା ଜରିମାନା ଲାଗିଛି। ଏହି ରାଶି ଆବେଦନକାରୀଙ୍କୁ ଦେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି।
ମାମଲାଟି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ସମ୍ପର୍କିତ, ଯିଏ ୧୯୯୬ରୁ ଦୈନିକ ମଜୁରିରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିଲେ। ଦୀର୍ଘ ସମୟ ଧରି ସେ ନିୟମିତ ହେବା ପାଇଁ ଲଢ଼ୁଥିଲେ। ୧୯୯୯ରେ ସେ ସ୍ୟାଟ୍ର ଦ୍ୱାରସ୍ଥ ହୋଇଥିଲେ, ଯେଉଁଠାରେ ୨୦୦୦ରେ ତାଙ୍କ ଆବେଦନ ଉପରେ ବିଚାର କରିବାକୁ ସରକାରକୁ ନିର୍ଦେଶ ଦିଆଯାଇଥିଲା। ତଥାପି, ୨୦୦୫ରେ ସରକାର ତାଙ୍କ ଆବେଦନକୁ ଖାରଜ କରିଦେଲେ। ପରେ ପୁଣି ସ୍ୟାଟ୍ ନିକଟକୁ ଯାଇଥିବାବେଳେ, ତାଙ୍କ ସହ କାମ କରୁଥିବା ଦୁଇଜଣ କନିଷ୍ଠ କର୍ମଚାରୀ ନିୟମିତ ହୋଇସାରିଥିବାରୁ ଆବେଦନକାରୀଙ୍କୁ ମଧ୍ୟ ନିୟମିତ କରିବାକୁ ନିର୍ଦେଶ ମିଳିଥିଲା।
ଏହାକୁ ଚ୍ୟାଲେଞ୍ଜ କରି ୨୦୦୭ରେ ରାଜ୍ୟ ସରକାର ହାଇକୋର୍ଟର ଶରଣ ନେଇଥିଲେ, କିନ୍ତୁ ୨୦୦୯ରେ ହାଇକୋର୍ଟ ସରକାରଙ୍କ ଅପିଲ୍ ଖାରଜ କରି ସ୍ପଷ୍ଟ ଭାବେ ଆବେଦନକାରୀଙ୍କୁ ନିୟମିତ କରିବାକୁ ଆଦେଶ ଦେଇଥିଲେ। ତଥାପି ଆଶ୍ଚର୍ଯ୍ୟଜନକ ଭାବେ, ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ଆଦେଶକୁ କାର୍ଯ୍ୟକରୀ କରାଯାଇନି। ଏଥିରେ କ୍ଷୁବ୍ଧ ହୋଇ ପୁଣି ଅଦାଲତଙ୍କ ଦ୍ୱାରସ୍ଥ ହେବା ପରେ, ହାଇକୋର୍ଟ କଡ଼ା ଭାବ ଦେଖାଇଛନ୍ତି।
ଆବେଦନକାରୀଙ୍କୁ ୮ ସପ୍ତାହ ମଧ୍ୟରେ ନିୟମିତ କରିବା ପାଇଁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଅଦାଲତ। ଯଦି ଧାର୍ଯ୍ୟ ସମୟରେ ତାଙ୍କୁ ନିୟମିତ କରାନଯାଏ ତାହେଲେ ପ୍ରତିଦିନ ଶହେ ଟଙ୍କା ଲେଖାଏଁ ମାସକ ପାଇଁ ଦେବାକୁ ପଡ଼ିବ। ଏହା ପରଠାରୁ ଦିିନକୁ ୨ଶହ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଏହି ରାୟ ପୁଣିଥରେ ପ୍ରଶାସନର ଦାୟିତ୍ୱବୋଧ ଉପରେ ପ୍ରଶ୍ନ ଉଠାଇଛି। ଅଦାଲତଙ୍କ ଆଦେଶକୁ ଅବହେଳା କରିବା କେତେ ଗୁରୁତର ପରିଣାମ ହୋଇପାରେ, ଏହି ଘଟଣା ତାହାର ସ୍ପଷ୍ଟ ଉଦାହରଣ।