ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ସିଜିନ ୨୦୨୫ ରେ ଡେବ୍ୟୁ କରିବା ପରଠାରୁ ବେଶ ଚର୍ଚ୍ଚାରେ ଅଛନ୍ତି । ମାତ୍ର ୧୪ ବର୍ଷ ବୟସରେ ଅନେକ ରେକର୍ଡ ଭାଙ୍ଗିଛନ୍ତି । ଡେବ୍ୟୁ ସିଜିନର ପ୍ରଥମ ବଲରେ ଛକ୍କା ମାରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ୨୦୨୫ ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବାବେଳେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ୩୫ ବଲରେ ଶତକ ହାସଲ କରି ଇତିହାସ ରଚିଥିଲେ । ସେହି ସିଜିନ ରେ ୭ ଟି ମ୍ୟାଚରେ ୨୫୨ ରନ ସଂଗ୍ରହ କରିଥିଲେ । ଚଳିତ ବର୍ଷ ମଧ୍ୟ ସେହି ଭଳି ବ୍ୟାଟିଂ କରୁଛନ୍ତି ଏହି ଯୁବ ତାରକା । ଚଳିତ ସିଜିନର ପ୍ରଥମ ମ୍ୟାଚରେ ଚେନ୍ନାଇ ବିପକ୍ଷରେ୧୭ ବଲରେ ୫୨ ରନ, ପରବର୍ତ୍ତୀ ମ୍ୟାଚରେ ଗୁଜୁରାଟ ବିପକ୍ଷରେ ୧୮ ବଲରେ ୩୧ ରନ ଓ ମୁମ୍ବାଇ ବିପକ୍ଷ ମ୍ୟାଚରେ ୧୪ ବଲରେ ୩୯ ରନର ବିସ୍ଫୋରକ ଇନିଂସ ବର୍ତ୍ତମାନ ସୁଦ୍ଧା ଖେଳିଛନ୍ତି । ପ୍ରଥମ ୩ ଟି ମ୍ୟାଚରେ ୧୨୨ ରନ ସଂଗ୍ରହ କରିଥିବାବେଳେ ଆଜିର ମ୍ୟାଚ ବେଙ୍ଗାଲୁରୁ ବିପକ୍ଷରେ ଖେଳିବେ । ଅରେଞ୍ଜ କ୍ୟାପ ତାଲିକାରେ ୟଶସ୍ଵୀ ଜେସୱାଲ ଶୀର୍ଷରେ ଅଛନ୍ତି, ସେ ୩ ଟି ମ୍ୟାଚରେ ୧୭୦ ରନ କରିଛନ୍ତି । ତେଣୁ ଆଜି ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ଭାବେ ଡେବ୍ୟୁ କରିଥିବା ବୈଭବଙ୍କ ପାଖରେ ସୁଯୋଗ ରହିଛି ଅରେଞ୍ଜ କ୍ୟାପ ପିନ୍ଧିବା ପାଇଁ । ବୈଭବଙ୍କୁ ଅରେଞ୍ଜ କ୍ୟାପ ତାଲିକାର ଶୀର୍ଷରେ ପହଞ୍ଚିବା ପାଇଁ ମାତ୍ର ୪୯ ରନର ଆବଶ୍ୟକତା । ତେଣୁ ଆଜି ଅତିକମରେ ଅର୍ଦ୍ଧଶତକ ହାସଲ କରି ଅରେଞ୍ଜ କ୍ୟାପ ପାଇଁ ଚେଷ୍ଟା କରିବେ ବୈଭବ । କିନ୍ତୁ ଯେଉଁଭଳି ଶୈଳୀ ଓ ମାନସିକତାରେ ବୈଭବ ବ୍ୟାଟିଂ କରୁଛନ୍ତି ସେ ଅରେଞ୍ଜ କ୍ୟାପରେ ଦୃଷ୍ଟିରେ ନରଖି ପୂର୍ବଭଳି ଦ୍ରୁତଗତିରେ ରନ ହାସଲ ପାଇଁ ଚେଷ୍ଟା କରିବେ । ତେବେ ଟେବୁଲ ଟପର ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏହି ମ୍ୟାଚ ବେଶ ରୋମାଞ୍ଚକର ହେବ ।