କୋଲକାତା: ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗ ପାଇଁ ସଂକଳ୍ପ ପତ୍ର ଜାରି କରିଛି । ସଂକଳ୍ପ ପତ୍ରରେ ରହିଛି ବଙ୍ଗର ବିକାଶର ଚିତ୍ର । ଶୁକ୍ରବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ 'ସଂକଳ୍ପ ପତ୍ର' ଜାରି କରିଛନ୍ତି । ଯାହାର ନାଁ ରଖାଯାଇଛି ‘ଭରସା ପତ୍ର’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ଏହା ପୂରଣ କରିବ ବୋଲି ଆଶା ପ୍ରକଟ କରିଛନ୍ତି ଶାହ । ଇସ୍ତାହାରରେ ଚାଷୀ, ଯୁବକ ଏବଂ ମହିଳା ସୁରକ୍ଷା ପାଇଁ ପ୍ରମୁଖ ଘୋଷଣା ରହିଥିବାବେଳେ ଦେଶର ବିକାଶ ଏବଂ ସୁରକ୍ଷା ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି । ବିଶେଷ କରି ମହିଳା ଭୋଟରଙ୍କୁ ଆଖି ଆଗରେ ରଖି ଇସ୍ତାହାର ପ୍ରସ୍ତୁତ କରାଯାଇଛି ।
ଅମିତ ଶାହ କହିଛନ୍ତି ଯେ ଏହି ଇସ୍ତାହାର ବେରୋଗାର ଯୁବକ ଏବଂ ମହିଳାଙ୍କୁ ନୂଆ ମାର୍ଗ ଦର୍ଶନ କରିବ । ଟିଏମସିଠାରୁ ତ୍ରସ୍ତ ହୋଇସାରିଥିବା ବଙ୍ଗ ବାସିନ୍ଦା ଏବେ ପରିବର୍ତ୍ତନ ଚାହୁଁଛନ୍ତି । ବାମଦଳ ଠାରୁ ନିରାଶ ହୋଇଥିବା ତୃତୀୟ ଥର ପାଇଁ ମଧ୍ୟ ମମତା ଦିଦିଙ୍କୁ ଭରସା କରିଥିଲେ କିନ୍ତୁ ଦିଦି ସେହି ଭରସା ରକ୍ଷା କରି ପାରିଲେ ନାହିଁ । କିନ୍ତୁ ବିଜେପିର ଏହି ସଂକଳ୍ପ ପତ୍ର ଭରସା ଅଟେ । ଏହା ସୁନାର ବଙ୍ଗଳା ନିର୍ମାଣ କରିବାର ଭରସା । ବଙ୍ଗର ଜନତା ବିଜେପିକୁ ପାଞ୍ଚ ବର୍ଷ ପାଇଁ ସୁଯୋଗ ଦେବେ ବୋଲି ଜନତାଙ୍କ ଉପରେ ଭରସା କରିଛନ୍ତି ଶାହ ।
ସେ ଆହୁରି ମଧ୍ୟ କହିଛନ୍ତି ପୂର୍ଣ୍ଣ ବହୁମତ ସହିତ ବିଜୟୀ କରାଇଲେ ବେଆଇନ ଅନୁପ୍ରବେଶକାରୀଙ୍କ ଉପରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ । ସେମାନଙ୍କୁ ରାଜ୍ୟରୁ ବାହାର କରି ବଙ୍ଗକୁ ସୁରକ୍ଷା ପ୍ରଦାନ କରାଯିବ । ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରି ଶାହ କହିଛନ୍ତି ଯେ ବିଜେପି ଏମିତିକି ଏକ ସରକାର ଦେହ ଯାହାର ମୁଖ୍ୟମନ୍ତ୍ରୀ କେବେବି ମହିଳାଙ୍କୁ କହିବେ ନାହିଁ ରାତିରେ ବାହାରକୁ ବାହାରନ୍ତୁ ନାହିଁ ।
ବିଜେପି ଇସ୍ତାହାର
ପ୍ରତି ମାସର ୧ ତାରିଖରୁ ୫ ତାରିଖ ମଧ୍ୟରେ ମହିଳାଙ୍କ ଆକାଉଣ୍ଟକୁ ୩୦୦୦ ହଜାର ଟଙ୍କା ଆସିବ ।
ଆୟୁଷ୍ମାନ ଭାରତ ସହିତ ସମସ୍ତ କେନ୍ଦ୍ରୀୟ ଯୋଜନା ଲାଗୁ ହେବ ।
ସରକାର ଆସିବାର ୬ ମାସ ମଧ୍ୟରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବ ।
ଅନୁପ୍ରବେଶକାରୀଙ୍କ ପାଇଁ ବନ୍ଦ ହେବା ପଶ୍ଚିମବଙ୍ଗ ସୀମା, ବନ୍ଦ ହେବ ଗୋ-ଚାଲାଣ ।
୧ କୋଟି ରୋଜଗାର ସୁଯୋଗ ।
ବେରୋଜଗାର ଯୁବକଙ୍କୁ ମାସିକ ମିଳିବ ୩୦୦୦ ହଜାର ଟଙ୍କା ଭତ୍ତା ।
୧୫ ବର୍ଷର ମମତା ସରକାରଙ୍କ ଆସିବ ଶ୍ୱେତ ପତ୍ର ।
ଶିଳ୍ପର ବିକାଶ ଏବଂ ବିଶ୍ୱ ସ୍ତରରେ ପ୍ରସିଦ୍ଧ ହେବ ଦାର୍ଜିଲିଂର ଚା ।
ଦେଶର ସୁରକ୍ଷା ସୁନିଶ୍ଚିତ ହେବ, ନଦୀ ନାଳରେ ହେବ ପାଟ୍ରୋଲିଂ ।
ସମଗ୍ର ଦେଶରେ ପ୍ରଚାର ପ୍ରସାର ହେବ ପଶ୍ଚିମ ବଙ୍ଗର ସଂସ୍କୃତି ।
ଗ୍ରେଟର୍ କୋଲକାତାରେ ପ୍ରତିଷ୍ଠା ହେବ ବନ୍ଦେ ଭାରତମ୍ ସଂଗ୍ରହାଳୟ ।
ପୋଲିସ ବିଭାଗ ସହିତ ରାଜ୍ୟର ସମସ୍ତ ସରକାରୀ ନିଯୁକ୍ତିରେ ମହିଳାଙ୍କୁ ମିଳିବ ୩୩ ପ୍ରତିଶତ ସଂରକ୍ଷଣ ।
ଅଙ୍ଗନବାଡ଼ି ଏବଂ ଆଶାକର୍ମୀଙ୍କ ବଢ଼ିବ ଦରମା ।
ପୀଡ଼ିତ ମହିଳାଙ୍କର ଶୁଣାଣି କରିବେ ଅବସରପ୍ରାପ୍ତ ମହିଳା ବିଚାରପତି ।
୭୫ ଲକ୍ଷ ଲକ୍ଷପତି ଦିଦି ।
ମହିଳାଙ୍କ ପାଇଁ ଆସିବ ଦୁର୍ଗା ସୁରକ୍ଷା ସ୍କ୍ୱାର୍ଡ ।
ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବସ୍ ।
ଧାର୍ମିକ ଅଭ୍ୟାସର ସ୍ୱାଧୀନତା ସୁନିଶ୍ଚିତ କରିବା ପାଇଁ ଏକ ଆଇନ ପ୍ରଣୟନ କରନ୍ତୁ।