ନୂଆଦିଲ୍ଲୀ: ଆଲ୍ଲାହାବାଦ ହାଇକୋର୍ଟର ବିବାଦିତ ବିଚାରପତି ଯଶୱନ୍ତ ବର୍ମା ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଗତକାଲି ସେ ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣରେ ପୋଡ଼ା ଟଙ୍କା ମିଳିବା ଘଟଣାରେ ସେ ବିବାଦ ଘେରକୁ ଆସିଛନ୍ତି । ବର୍ମା ତାଙ୍କ ନିଷ୍ପତ୍ତି ପଛରେ କୌଣସି କାରଣ ଉଲ୍ଲେଖ କରି ନାହାଁନ୍ତି ।
ଜଷ୍ଟିସ୍ ବର୍ମା ତାଙ୍କ ଇସ୍ତଫାରେ କହିଛନ୍ତି, "ମୋତେ ଇସ୍ତଫା ଦେବାକୁ ବାଧ୍ୟ କରୁଥିବା ପରିସ୍ଥିତି ଯୋଗୁଁ, ମୁଁ ଏହି ପ୍ରତିଷ୍ଠାନ ଉପରେ ବୋଝ ହୋଇ ରହିବାକୁ ଚାହୁଁନାହିଁ, ଏବଂ ମୁଁ ଗଭୀର ଦୁଃଖରେ ଇସ୍ତଫା ଦେଉଛି।"
ମହାଭିଯୋଗ ପ୍ରସ୍ତାବ
ଗତ ଜୁଲାଇରେ ତାଙ୍କୁ ବହିଷ୍କାର କରିବା ପାଇଁ ସଂସଦ ଦ୍ୱାରା ଏକ ମହାଭିଯୋଗ ପ୍ରକ୍ରିୟା ଗ୍ରହଣ କରାଯାଇଥିଲା ଏବଂ ଅଭିଯୋଗଗୁଡ଼ିକର ତଦନ୍ତ ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା ଏକ ତିନି ସଦସ୍ୟ ବିଶିଷ୍ଟ ପ୍ୟାନେଲ୍ ଗଠନ କରାଯାଇଥିଲା। ବର୍ମାଙ୍କୁ ତାଙ୍କର ପକ୍ଷ ଉପସ୍ଥାପନ କରିବା ପାଇଁ ଏପ୍ରିଲ୍ ୧୦ ରୁ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ।
ମାର୍ଚ୍ଚ ମାସରେ ତଦନ୍ତ କମିଟି ସମ୍ମୁଖରେ ସରକାରୀ ଓକିଲଙ୍କ ଯୁକ୍ତି ସମାପ୍ତ ହୋଇଛି। ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ପ୍ରାୟ ନଅ ଜଣ ପ୍ରମୁଖ ସାକ୍ଷୀଙ୍କୁ ଜେରା କରାଯାଇଛି । ବର୍ମାଙ୍କ ତଦନ୍ତ କରୁଥିବା ପ୍ୟାନେଲଟି ଚଳିତ ବର୍ଷ ଆରମ୍ଭରେ ପୁନର୍ଗଠିତ ହୋଇଥିଲା ଏବଂ ଏଥିରେ ସୁପ୍ରିମକୋର୍ଟ ବିଚାରପତି ନ୍ୟାୟମୂର୍ତ୍ତୀ ଅରବିନ୍ଦ କୁମାର, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଶେଖର ଏବଂ କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଓକିଲ ବିଭି ଆଚାର୍ଯ୍ୟ ସାମିଲ ଥିଲେ।
ବର୍ମା ଇସ୍ତଫା ଦେବା ଦ୍ଵାରା ନିୟମ ଅନୁଯାୟୀ, ଜଣେ ହାଇକୋର୍ଟ ବିଚାରପତି ଅବସର ନେବା ପରେ ପାଉଥିବା ପେନସନ ଏବଂ ଅନ୍ୟାନ୍ୟ ସୁବିଧା ପାଇବାର ହକଦାର ଅଟନ୍ତି । ଯଦି ସଂସଦରେ ଆଗତ ମହାଭିଯୋଗ ପ୍ରସ୍ତାବ ଗୃହୀତ ହୋଇଯାଏ ତେବେ ସେ ଏହି ସୁବିଧା ପାଇବା ପାଇଁ ଅଯୋଗ୍ୟ ହେବେ ।
ସରକାରୀ ଆବାସରୁ ମିଳିଥିଲା ପୁଳା ପୁଳା ପୋଡ଼ା ଟଙ୍କା
୧୪ ମାର୍ଚ୍ଚ, ୨୦୨୫ରେ ଲ୍ୟୁଟିୟନ୍ସ ଦିଲ୍ଲୀରେ ଜଷ୍ଟିସ୍ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣର ଟଙ୍କା ମିଳିବା ପରେ ବିଚାରପତି ସମାଲୋଚନାର ଶିକାର ହୋଇଥିଲେ। ସେହି ସମୟରେ ସେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବରେ କାର୍ଯ୍ୟ କରୁଥିଲେ । କର୍ମଚାରୀଙ୍କ କ୍ୱାର୍ଟର ନିକଟରେ ଥିବା ଏକ ଷ୍ଟୋରରୁମରେ ନିଆଁ ଲାଗିଯାଇଥିଲା । ନିଆଁ ଲିଭାଇବାବେଳେ ଅଗ୍ନିଶମ କର୍ମଚାରୀମାନେ ପୁଳା ପୁଳା ଟଙ୍କା ପାଇଥିଲେ । କିନ୍ତୁ ବିଚାରପତି ଏହାକୁ ଅସ୍ୱୀକାର କରିଥିଲେ । ସେ କିମ୍ବା ତାଙ୍କ ପରିବାରର ସଦସ୍ୟମାନେ ଷ୍ଟୋର ରୁମରେ ଟଙ୍କା ରଖିନାହାଁନ୍ତି ବୋଲି କହିଥିଲେ । ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ବର୍ମାଙ୍କଠାରୁ ନ୍ୟାୟିକ କାର୍ଯ୍ୟ ପ୍ରତ୍ୟାହାର କରି ନେଇଥିଲେ । ତାଙ୍କୁ ତାଙ୍କର ପ୍ରଥମ କୋର୍ଟ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରଯାଇଥିଲା ଏବଂ ଏହାର ମୁଖ୍ୟ ବିଚାରପତିଙ୍କୁ ତାଙ୍କୁ କୌଣସି ନ୍ୟାୟିକ କାର୍ଯ୍ୟ ନଦେବାକୁ କହିଥିଲେ।