ନୂଆଦିଲ୍ଲୀ: ପଡୋଶୀ ଦେଶ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା କଡାକଡି କରାଯାଇଛି । କେବଳ ଇସଲାମାବାଦରେ ୧୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ଏହା ବ୍ୟତୀତ ରାଜଧାନୀର ସଡକକୁ ସିଲ୍ କରାଯାଇଛି । ବିଶେଷ କରି ସରକାରଙ୍କ ରେଡ ଜୋନରେ ଥିବା ଗୁରୁତ୍ୱପୂର୍ଣ୍ଣ ସରକାରୀ କୋଠାମାନଙ୍କରେ ସୁରକ୍ଷା ବଢାଇ ଦିଆଯାଇଛି । ଅଧିକାରୀ ସ୍କୁଲ, କଲେଜ ଓ ଦପ୍ତରକୁ ଦୁଇ ଦିନ ପାଇଁ ସାର୍ବଜନୀନ ଭାବେ ଛୁଟି ଘୋଷଣା କରାଯାଇଛି । ଏହା ବ୍ୟତୀତ ଜାଗାରେ ଚେକ୍ ପୋଷ୍ଟ ଲଗାଯାଇଛି।
ପାକିସ୍ତାନକୁ ସନ୍ଦେହ ଯେ, ଇସ୍ରାଏଲ ଏହି ଶାନ୍ତି ବାର୍ତ୍ତାକୁ ଲାଇନଚ୍ୟୁତ କରିପାରେ ଏବଂ ଏଥିରେ ବାଧା ଦେଇପାରେ । ଏଥିପାଇଁ ପାକିସ୍ତାନ ପକ୍ଷରୁ ଏମିତି ପ୍ରସ୍ତୁତି କରାଯାଇଛି । ଏହି କ୍ରମରେ ପାକ୍ ଗୃହ ମନ୍ତ୍ରଣାଳୟ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ ସ୍ଥାପନ କରିଛି । ଇସଲାମାବାଦ ରେଞ୍ଜର ଆଇଜି ପୋଲିସଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସର୍ଚ୍ଚ ଅପରେସନ ଚଲାଯାଇଛି । ଏହା ବ୍ୟତୀତ ପୋଲିସର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ ସ୍ୱତନ୍ତ୍ର ଚେକ୍ ପୋଷ୍ଟ ଲରାଯାଇଛି ।
ପୂରା ସହରରେ ପୋଟ୍ରୋଲିଂ କଡାକଡି କରାଯାଇଛି । ଅଧିକାରୀ ଇସଲାମାବାଦରେ ବିଦେଶ ମନ୍ତ୍ରଣାଳୟ ସହ ସଂଲଗ୍ନ ସେରେନା ହୋଟେଲକୁ ସଂପୂର୍ଣ୍ଣ ଭାବେ ସିଲ୍ କରାଯାଇଛି । ଏ ହେଉଛି ସେହି ହୋଟେଲ ଯେଉଁଠି ଆମେରିକା ଓ ଇରାନର ପ୍ରତିନିଧିମଣ୍ଡଳ ଶାନ୍ତି ବାର୍ତ୍ତା କରିବେ ।
ଇରାକ-ୟୁଏସ ମଧ୍ୟରେ ଶାନ୍ତି ବାର୍ତ୍ତା
ମଧ୍ୟପ୍ରାଚ୍ୟରେ ଛଅ ସପ୍ତାହ ପର୍ଯ୍ୟନ୍ତ ଜାରି ଯୁଦ୍ଧ ପରେ ପ୍ରଥମ ଥର ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ପ୍ରୟାସ ଜୋରଦାର ଚାଲିଛି । ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କ ପ୍ରାଣହାନୀ ଘଟିଛି । ବୈଶ୍ୱିକ ତୈଳ ବଜାର ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହି ଶାନ୍ତି ଆଲୋଚନା ପାଇଁ ଆମେରିକାର ପ୍ରତିନିଧିମଣ୍ଡଳରେ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ବ୍ୟତୀତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଓ ତାଙ୍କ ସ୍ୱତନ୍ତ୍ର ଦୂତ ଜେରେଡ କୁଶନର ଓ ଷ୍ଟିଭ ୱିଟକଫ ମଧ୍ୟ ସାମିଲ୍ ହେବେ ।
ଏସବୁ ନେତା ଶୁକ୍ରବାର ଇସଲାମାବାଦ ପହଞ୍ଚିବେ ବୋଲି ଆଶା କରାଯାଉଛି । ଅନ୍ୟପଟେ ଇରାନ ଏ ପର୍ଯ୍ୟନ୍ତ ତାର ପ୍ରତିନିଧିମଣ୍ଡଳରେ କିଏ କିଏ ରହିବେ ତାହା ଆନୁଷ୍ଠାନିକ ଭାବେ କିଛି ସୂଚନା ଦେଇନି । ତେବେ ଗଣମାଧ୍ୟମର ଖବର ଅନୁଯାୟୀ, ଇରାନ ସଂସଦର ଅଧ୍ୟକ୍ଷ ମହମ୍ମଦ ବାକେର ଗାଲିବଫ ଓ ବିଦେଶ ମନ୍ତ୍ରୀ ଅବାସ ଅରାଘଚି ଇରାନ ପକ୍ଷର ନେତୃତ୍ୱ ନେବେ ।