ଭୁବନେଶ୍ୱର: ରାଜନୀତିରେ ସବୁବେଳେ ପରସ୍ପର ପ୍ରତି ବିରୋଧୀ ମତ ରଖୁଥିବା ଦୁଇ ଜଣ ପ୍ରମୁଖ ଚେହେରା ନବୀନ ପଟ୍ଟନାୟକ ଓ ପୀତାମ୍ବର ଆଚାର୍ଯ୍ୟ, ଏବେ ଗୋଟିଏ ବିମାନରେ ସହଯାତ୍ରୀ ଭାବେ ଦେଖାଯାଇଛନ୍ତି, ଯାହାକୁ ନେଇ ରାଜନୀତିକ ମହଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ଦିଲ୍ଲୀ ଯାଉଥିବା ଫ୍ଲାଇଟ୍ରେ ଦୁଇଜଣ ପାଖାପାଖି ସିଟରେ ବସି ଯାତ୍ରା କରିଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ସବୁଠାରୁ ଆକର୍ଷଣୀୟ କଥା ହେଉଛି ରାଜନୀତିକ ମଞ୍ଚରେ ଯେଉଁଠାରେ ଦୁଇଜଣ ପରସ୍ପରକୁ ଟାର୍ଗେଟ କରି କଠୋର ମତ ଦେଇଥାନ୍ତି, ସେଠାରେ ବିମାନରେ ତାଙ୍କର ଆଚରଣ ରହିଛି ପୂରା ଭିନ୍ନ।
ସୂଚନା ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବର୍ତ୍ତମାନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କର ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଛନ୍ତି। ପ୍ରେମ ପଟ୍ଟନାୟକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ଥିବା ସହିତ ତାଙ୍କର ହାର୍ଟ ସର୍ଜରୀ ହୋଇଥିବା ସୂଚନା ମିଳିଛି। ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଏହାକୁ ନବୀନଙ୍କ ବ୍ୟକ୍ତିଗତ ଗସ୍ତ ବୋଲି କହିଛନ୍ତି।
ଅନ୍ୟପଟେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏନେଇ ସୋସିଆଲ ମିଡିଆରେ ଦୁହିଁଙ୍କ ଫୋଟୋ ସେୟାର କରି କହିଛନ୍ତି, "ନବୀନଙ୍କ ସହ ଏହି ଯାତ୍ରା ସତରେ ଅନନ୍ୟ ଅନୁଭବ ଥିଲା। ଫ୍ଲାଇଟ୍ରେ ଏକାସାଥିରେ ବସି ଓଡିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଦୁଇଜଣଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ହୋଇଥିଲା" ବୋଲି ସେ ସୂଚନା ଦେଇଛନ୍ତି। ତେବେ ଏହି ସହଯାତ୍ରା କେବଳ ଏକ ସଯୋଗ ନା କିଛି ଅନ୍ୟ ସଙ୍କେତ ସେନେଇ ରାଜନୀତିକ ମହଳରେ ଚର୍ଚ୍ଚା ଜୋର ଧରିଛି।
ଦିଲ୍ଲୀ ଫ୍ଲାଇଟ୍ର ଏହି ଦୃଶ୍ୟ ଏବେ ସବୁଠାରୁ ଅଧିକ ଚର୍ଚ୍ଚିତ ହୋଇପଡ଼ିଛି ଯେଉଁଠାରେ ବିରୋଧୀ ନେତାମାନେ ପାଖାପାଖି ସିଟ୍ରେ ବସି ହସୁଥିବା ଦେଖିବାକୁ ମିଳିଲା। ରାଜନୀତିରେ ଅନେକ ସମୟରେ ପରସ୍ପର ପ୍ରତି ବିରୋଧୀ ମତ ରଖୁଥିବା ନେତାମାନେ, ଏଭଳି ଏକ ସାଧାରଣ ଯାତ୍ରାରେ ଏତେ ନିକଟରେ ଆସି ଆଲୋଚନା କରିବା ଏହା ନିଶ୍ଚୟ ଭାବେ ରାଜନୀତିକ ମହଳରେ ନୂଆ ସନ୍ଦେଶ ଦେଉଛି। ଏହା କି ଏକ ସାଧାରଣ ସଯୋଗ, ନା କି ଭବିଷ୍ୟତ୍ରେ କୌଣସି ନୂଆ ସମୀକରଣର ସଙ୍କେତ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୋସିଆଲ ମିଡିଆରେ ଲୋକମାନେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି। କେହି ଏହାକୁ ‘ପଲିଟିକାଲ୍ ମ୍ୟାଚ୍ୟୁରିଟି’ ବୋଲି କହୁଛନ୍ତି, ତ କେହି ଏହାକୁ ଆଗାମୀ ରାଜନୀତିକ ପରିବର୍ତ୍ତନର ଇସାରା ବୋଲି ଦେଖୁଛନ୍ତି।