ନୂଆଦିଲ୍ଲୀ: ୨୦୨୬ ଏପ୍ରିଲ ୧୦ରେ ଆରମ୍ଭ ହେବାକୁ ଥିବା ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ଏବେ ବାତିଲ କିମ୍ବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ପାକିସ୍ତାନରେ ଇରାନ ରାଷ୍ଟ୍ରଦୂତ ରେଜା ଆମିରି ମୋଗାଦମ୍ ଶାନ୍ତି ଆଲୋଚନାକୁ ନେଇ ଏକ ପୋଷ୍ଟ କରିଥିଲେ। ସେ ଲେଖିଥିଲେ ଏହି ଆଲୋଚନା ପାଇଁ ଇରାନ ପ୍ରତିନିଧିମଣ୍ଡଳୀର ଇସଲାମାବାଦ ଗସ୍ତ କରିବେ। ତେବେ ସେ ଏହି ସୋସିଆଲ ମିଡିଆ ପୋଷ୍ଟ ଡିଲିଟ କରିଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି କଣ ଇରାନ ପାକିସ୍ତାନ ଉପରେ ଭରସା କରି ପାରୁନି ଏବଂ ତାଙ୍କ ଦେଶ ଇସଲାମାବାଦ ସହ କଥା ହେବାକୁ ଚାହୁଁନି।
ଇରାନ ରାଷ୍ଟ୍ରଦୂତଙ୍କ ପୋଷ୍ଟରୁ ହଙ୍ଗାମା
ଇରାନ ରାଷ୍ଟ୍ରଦୂତ ଆମିରି ମୋଗାଦମ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଯେ ଆମେରିକା ସହିତ ସ୍ଥାୟୀ ଶାନ୍ତି ଆଲୋଚନା କରିବା ପାଇଁ ଏକ ଇରାନ ପ୍ରତିନିଧିମଣ୍ଡଳୀ ପାକିସ୍ତାନ ଆସିବ। ତାଙ୍କ ପୋଷ୍ଟ ଏବେ ଡିଲିଟ କରାଯାଇଛି। ଇସ୍ରାଏଲ ଏବଂ ଆମେରିକା ଅଡ଼ି ବସିଛନ୍ତି ଯେ ଲେବାନନ୍ ଏହି ଯୁଦ୍ଧବିରତିର ଅଂଶ ନୁହେଁ। ଆମିରି ମୋଗାଦମ୍ କହିଥିଲେ ଯେ ଇସ୍ରାଏଲ ଲେବାନନରେ ଯୁଦ୍ଧବିରତି ଉଲ୍ଲଂଘନ କରିଛି, ତଥାପି ଇରାନ ଏବେ ବି ଆଲୋଚନା ପାଇଁ ଇସଲାମାବାଦ ଆସୁଛି। ତେବେ ଇରାନ ରାଷ୍ଟ୍ରଦୂତଙ୍କ ଉକ୍ତ ପୋଷ୍ଟ ଡିଲିଟ୍ ହେବା ଏହି ଶାନ୍ତି ବୈଠକକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଲାଣି।
ନା ଟାରିଫ, ନା ୟୁରାନିୟମ ଭଣ୍ଡାର, କଟକଣାରୁ ମିଳିବ ଆଶ୍ଵସ୍ତି, ଟ୍ରମ୍ପ କହିଲେ- ଇରାନ ସହ ମିଶି କାମ କରିବୁ
ଇସଲାମାବାଦରେ ବୈଠକ ପାଇଁ ଚାଲିଛି ପ୍ରସ୍ତୁତି
ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ଯୁଦ୍ଧ ସମାପ୍ତ କରିବା ଉଦ୍ଦେଶ୍ୟରେ ଆଲୋଚନା ପାଇଁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ପାକିସ୍ତାନ ଗସ୍ତ କରିପାରନ୍ତି। ସିଏନଏନର ଏକ ରିପୋର୍ଟ ଅନୁଯାୟୀ, ଦୁଇଜଣ ଆମେରିକୀୟ ଅଧିକାରୀ କହିଛନ୍ତି, "ପାକିସ୍ତାନ ନିଜକୁ ଏକ ପ୍ରମୁଖ ମଧ୍ୟସ୍ଥି ଭାବରେ ଉପସ୍ଥାପନ କରିବା ପରେ ଏହି ସପ୍ତାହରେ ଇସଲାମାବାଦରେ ଏକ ପ୍ରମୁଖ ବୈଠକ ପାଇଁ ପ୍ରସ୍ତୁତି ଚାଲିଛି। ଜେଡି ଭାନ୍ସ ପାକିସ୍ତାନ ଗସ୍ତ କରିପାରନ୍ତି, ସମ୍ଭବତଃ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ତାଙ୍କ ସହିତ ପାକିସ୍ତାନ ଗସ୍ତ କରିବେ।
ଏହା ପୂର୍ବରୁ, ଫାଇନାନ୍ସିଆଲ୍ ଟାଇମ୍ସ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ରବିବାର ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସୋମବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ମଧ୍ୟ କଥା ହୋଇଥିବା କୁହାଯାଇଛି।
ଇରାନ-ଆମେରିକା ଆଲୋଚନା ଜାରି: ହ୍ୱାଇଟ୍ ହାଉସ
ଅନ୍ୟପଟେ ହ୍ଵାଇଟ୍ ହାଉସ କହିଛି ଯେ ଇରାନ ବିରୁଦ୍ଧରେ ଆମେରିକୀୟ ସାମରିକ ଅଭିଯାନ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗକୁ ବଢ଼ୁଛି ଏବଂ ସେମାନେ ମୁଖ୍ୟ ଉଦ୍ଦେଶ୍ୟ ହାସଲ କରିବା ପାଇଁ ନିକଟତର ହେଉଛନ୍ତି। ଏହି ସମୟରେ ୱାଶିଂଟନ୍ ସଂଘର୍ଷ ସମାପ୍ତ କରିବା ଦିଗରେ ତେହେରାନ ସହିତ ସକରାତ୍ମକ ଆଲୋଚନା ଜାରି ରଖିଛି। ହ୍ୱାଇଟ୍ ହାଉସ ବୁଧବାର କହିଛି ଯେ ଆଲୋଚନା ଦଳରେ ସ୍ଵତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ ଏବଂ ଜାରେଡ୍ କୁଶନର ସାମିଲ ହେବେ।
ଯଦି ହର୍ମୁଜ ପ୍ରଣାଳୀ ଖୋଲା ନଯାଏ ଆମେ ପୁଣି ଗୁଳିଚାଳନା ଆରମ୍ଭ କରିବୁ: ଟ୍ରମ୍ପ