ନୂଆଦିଲ୍ଲୀ: ଇରାନ ସହ ଯୁଦ୍ଧ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା ହୋଇଛି। ଏହା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଏବଂ ଇରାନ ଏବେଏକାଠି କାମ କରିବେ। ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଯେ ଇରାନ ଏକ "ସଫଳ ଶାସନ ପରିବର୍ତ୍ତନ" ଦେଇସାରିଛି। ଇରାନରେ ଆଉ ୟୁରାନିୟମ ସମୃଦ୍ଧି କରାଯିବ ନାହିଁ ଏବଂ ଆମେରିକା ଇରାନ ସହିତ ଭୂତଳ ପରମାଣୁ ସାମଗ୍ରୀ ଅପସାରଣ କରିବା ପାଇଁ କାମ କରିବବୋଲି ଟ୍ରମ୍ପ ବଡ଼ ଦାବି କରିଛନ୍ତି।
ଆମେରିକୀୟ ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ଯେକୌଣସି କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସମଗ୍ର ଅଞ୍ଚଳ ସାଟେଲାଇଟ୍ ନଜରରେ ରହିବ। ଟ୍ରମ୍ପଙ୍କ ଅନୁଯାୟୀ, ଆକ୍ରମଣ ପରଠାରୁ ଏହି ସ୍ଥାନରେ କୌଣସି ପ୍ରକାରର ହେରଫେର କରାଯାଇ ନାହିଁ। ସେ ଏହା ମଧ୍ୟ ଅବଗତ କରିଛନ୍ତି ଯେ ଶୁଳ୍କ ଏବଂ କଟକଣା ହ୍ରାସ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। ୧୫ଟି ପଏଣ୍ଟ ମଧ୍ୟରୁ ଅନେକ ଉପରେ ଚୁକ୍ତି ହୋଇଛି।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ ସ୍ପଷ୍ଟ କରିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠାରେ ଚୀନ୍ ସକ୍ରିୟ ଭୂମିକା ଗ୍ରହଣ କରୁଛି। ସେ କହିଛନ୍ତି ଯେ ଚୀନ ନିରନ୍ତର ଭାବରେ ଯୁଦ୍ଧବିରତି ଏବଂ ଆଲୋଚନାକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛି ଏବଂ ଉପସାଗରୀୟ ଅଞ୍ଚଳ ସମେତ ସମଗ୍ର ମଧ୍ୟପ୍ରାଚ୍ୟରେ ସ୍ଥିରତା ଫେରାଇ ଆଣିବାରେ ଗଠନମୂଳକ ଭୂମିକା" ନିର୍ବାହ କରିବ।
ଚୀନର ପ୍ରତିକ୍ରିୟା ଏପରି ସମୟରେ ଆସିଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ଚୀନ ଇରାନକୁ ଆଲୋଚନା ଟେବୁଲକୁ ଆଣିବାରେ ସାହାଯ୍ୟ କରିଛି। ତାଙ୍କର ଏହି ମତ ଚୀନର ନିଜକୁ ମଧ୍ୟସ୍ଥି ଭୂମିକା ଭାବେ ଦର୍ଶାଇଚି। ବିଶେଷକରି ଯେତେବେଳେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଚରମରେ ଥିଲା।
ବିଶେଷଜ୍ଞଙ୍କ ମତରେ ଯଦି ଚୀନ ପ୍ରକୃତରେ ଆଲୋଚନାକୁ ଆଗକୁ ବଢ଼ାଇବାରେ ସଫଳ ହୁଏ, ତେବେ ଏହା ବିଶ୍ୱ କୂଟନୀତିରେ ଏହାର ଭୂମିକାକୁ ଆହୁରି ମଜବୁତ କରିପାରିବ ଏବଂ ସଂଘର୍ଷକୁ ହ୍ରାସ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରମାଣିତ ହୋଇପାରିବ।