ନୂଆଦିଲ୍ଲୀ: ରୋମାଞ୍ଚକର ମୁକାବିଲା । ହୃଦସ୍ପନ୍ଦନ ବଢାଇ ଦେବା ପରି ମ୍ୟାଚ୍ । କଡା ସଂଘର୍ଷ ଏବଂ ଶେଷ ବଲ୍ ପର୍ଯ୍ୟନ୍ତ ଛକାପଞ୍ଝା ପରେ ବାଜି ମାରିଲା ଗୁଜରାଟ ଟାଇଟନ୍ସ । ଶେଷ ଦୁଇ ବଲରେ ପରାଜୟରୁ ବର୍ତ୍ତିଗଲା ଗୁଜରାଟ ଟାଇଟନ୍ସ । ଆଉ ବିଜୟର ଦ୍ୱାର ଦେଶରେ ଥାଇ ବି ପରାଜୟର ସ୍ୱାଦ ଚାଖିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀକୁ ବିଜୟର ଦ୍ୱାର ଦେଶରେ ପହଞ୍ଚାଇ ନିଜେ ପରାଜୟର କାରଣ ପାଲଟିଛନ୍ତି ଡେଭିଡ ମିଲର । ଶେଷ ଦୁଇ ବଲରେ ଏକ ରନ ବି କରି ପାରି ନ ଥିଲା ଦିଲ୍ଲୀ । ଆଉ ଚଳିତ ସିଜିନରେ ଲଗାତାର ୨ଟି ମ୍ୟାଚ୍ ହାରିବା ପରେ ପ୍ରଥମ ବିଜୟ ହାସଲ କରିଛି ଗୁଜରାଟ ଟାଇଟନ୍ସ । ଆଉ ଦିଲ୍ଲୀ ହ୍ୟାଟ୍ରିକ ବିଜୟରୁ ବଞ୍ଚିତ ହୋଇଛି ।
ଶେଷ ୨ ବଲରେ ୨ ରନ
ଶେଷ ଓଭରରେ ଦିଲ୍ଲୀକୁ ଜିତିବା ପାଇଁ ଦରକାର ଥିଲା ୧୩ ରନ । ସାମ୍ନାରେ ଥିଲେ ବୋଲର ପ୍ରସିଦ୍ଧ କୃଷ୍ଣା । ବିପ୍ରଜ ନିଗମ ପ୍ରଥମ ବଲରେ ଚୌକା ମାରିବା ପରେ ଦ୍ୱିତୀୟ ବଲରେ ଆଉଟ୍ ହୋଇଥିଲେ । ତୃତୀୟ ବଲରେ କୁଲଦୀପ ଯାଦବ ଏକ ରନ ଦେଇ ଡେଭିଡ ମିଲରଙ୍କୁ ଷ୍ଟ୍ରାଇକ ଦେଇଥିଲେ । ଶେଷ ୩ ବଲରେ ଦରକାର ଥିଲା ୮ ରନ । ଓଭରର ଚତୁର୍ଥ ବଲରେ ମିଲର ବିଶାଳ ଛକା ମାରିଥିଲେ । ଏବେ ଦୁଇ ବଲରେ ୨ ରନ ଥିଲା ଦରକାର । ହେଲେ ପଞ୍ଚମ ବଲରେ ମିଲର ସୁବର୍ଣ୍ଣ ସୁଯୋଗ ମିଳିଥିଲେ ହେଁ ଏକ ରନ ନେଇ ନ ଥିଲେ ।
ଏମିତିରେ ଦିଲ୍ଲୀକୁ ଶେଷ ବଲରେ ୨ ରନ ଦରକାର ଥିଲା । ହେଲେ ଶେଷ ବଲରେ ପ୍ରସିଦ୍ଧ ସ୍ଲୋ ସଟ୍ ବଲ୍ ଫିଙ୍ଗିଥିଲେ ଏବଂ ଡେଭିଡ୍ ମିଲର ସଟ୍ ଖେଳିବାରେ ବିଫଳ ହୋଇଥିଲେ । ବଲ୍ ସିଧା ୱିକେଟ୍ କିପର ପାଖକୁ ଯାଇଥିଲା । ଆଉ ଜୋସ ବଟଲର ଥ୍ରୋ କରି କୁଲଦୀପଙ୍କୁ ରନ ଆଉଟ୍ କରିଥିଲେ । ଏହି ପରି ଭାବେ ଗୁଜରାଟ ହାରୁ ହାରୁ ମ୍ୟାଚ୍ ଜିତିବାରେ ସଫଳ ହୋଇଛି ।
ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁଜରାଟ ପ୍ରଥମେ ବ୍ୟାଟିଂ କରି ବିଶାଳ ୨୧୦ ରନ କରିଥିଲା । ଅଧିନାୟକ ଶୁଭମନ ଗିଲ୍ ୪୫ ବଲ୍ରେ ୭୦ ରନ୍ କରିଥିଲେ। ଜସ୍ ବଟଲର୍ (୫୨) ଏବଂ ୱାଶିଂଟନ୍ ସୁନ୍ଦର (୫୫) ୩୨ ରନ୍ କରିଥିଲେ। ଏହି ତିନୋଟି ଅର୍ଦ୍ଧଶତକ ବଳରେ ଗୁଜରାଟକୁ ୨୧୦ ରନ୍ କରିପାରିଥିଲା । ପହଞ୍ଚାଇବାରେ ସାହାଯ୍ୟ କରିଥିଲା।
ଦିଲ୍ଲୀ ବିଜୟ ଲକ୍ଷ୍ୟ ପିଛା କରିଥିବା ବେଳେ ଦୁଇ ଓପନର ପଥୁମ୍ ନିଶଙ୍କା ଏବଂ କେଏଲ୍ ରାହୁଲ ପ୍ରଥମ ୱିକେଟ୍ରେ ୭୬ ରନ୍ର ଭାଗୀଦାରି କରି ଗୁଜରାଟକୁ ବ୍ୟାକଫୁଟରେ ରଖିଥିଲେ । ନିଶଙ୍କା ୪୧ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ଦିଲ୍ଲୀ ସଅଳ ବ୍ୟାଟରଙ୍କୁ ହରାଇ ମୁସ୍କିଲରେ ପଡିଥିଲା ।। ସମୀର ରିଜଭି ନିଜର ଖାତା ଖୋଲିପାରି ନଥିଲେ, ଏବଂ ନୀତିଶ ରାଣା ପୁଣି ଥରେ ବିଫଳ ହୋଇଥିଲେ। ତଥାପି, କେଏଲ୍ ରାହୁଲ ୫୨ ବଲ୍ରେ ୯୨ ରନ୍ର ଇନିଂସ ଖେଳି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ । ଏହା ମ୍ୟାଚ୍ର ତାଙ୍କର ଚତୁର୍ଥ ଅର୍ଦ୍ଧଶତକ ଥିଲା। ଡେଭିଡ୍ ମିଲର୍ ଧୂଆଁଧାର ବ୍ୟାଟିଂ କରି ୨୦ ବଲ୍ରେ ୪୧ ରନ୍ କରି ଦିଲ୍ଲୀର ଆଶା ବଢ଼ାଇଥିଲେ, କିନ୍ତୁ ସେ ଦଳକୁ ମ୍ୟାଚ୍ ଜିତାଇ ପାରି ନ ଥିଲେ ।